କନକ ବ୍ୟୁରୋ : ନବରଙ୍ଗପୁର ସହର ମଧ୍ୟ ଲମ୍ୱିଛି ୨୬ନଂ ଜାତୀୟ ରାଜପଥ । ୫ କିଲୋମିଟର ଲମ୍ୱ ରାସ୍ତାରେ ନବରଙ୍ଗପୁର ସହର ଓ ଦୋକାନ ବଜାର ବଢୁଥିବାରୁ ରାସ୍ତା ସଂକୁଚିତ ହେଉଛି । ଅଣଓସାରିଆ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଲାଗି ରହୁଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଘଣ୍ଟାଘଣ୍ଟା ଟ୍ରାଫିକ ଜାମ ରହୁଛି । ସେଥିରୁ ସହରକୁ ମୁକାଳିବା ପାଇଁ ୨୦୧୩-୧୪ରେ ବାଇପାସ୍ ନିର୍ମାଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପାତ୍ରମୁଣ୍ଡ ଛକରୁ ଡାଇଭଟ୍ଟା ଛକ ପର୍ଯ୍ୟନ୍ତ ପ୍ରାୟ ୯ କିମି ରାସ୍ତା ପାଇଁ ୨୦୧୬ରେ ପ୍ରକ୍ରିୟା ଆରମ୍ଭ ହେଲା। ୫୩ ହେକ୍ଟର ଜମି ଅଧିଗ୍ରହଣ ହେବ। ସେଥିପାଇଁ ୭୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏବେ ସୁଦ୍ଧା ୧୩୩ ଜଣ ଜମି ମାଲିକଙ୍କୁ ୫୨ କୋଟି ଦିଆସରିଛି, ଆଉ ୪୭ ଜଣଙ୍କ ଜମି ଅଧିଗ୍ରହଣ ହୋଇପାରିନାହିଁ।

Advertisment

୯ ମାସ ତଳୁ ଆଭାଷି ମାଧ୍ୟମରେ ନବରଙ୍ଗପୁର ବାଇପାସର ଭିତ୍ତିପ୍ରସ୍ତର ସ୍ଥାପନ କରି ସାରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରି। କିନ୍ତୁ ଏଯାଏଁ ଜମି ଅଧିଗ୍ରଣ ସରିନାହିଁ କି ରାସ୍ତାରେ ମାଟି ମୁଠାଏ ପଡ଼ିନାହିଁ। ଆଉ ୪୭ ଜଣଙ୍କ ଜମି ଅଧିଗ୍ରହଣ ସରିବା ପରେ କାମ ଆରମ୍ଭ ହେବ। ସେପଟେ ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ନବରଙ୍ଗପୁର ବାଇପାସ ନିର୍ମାଣ ଅନିଶ୍ଚିତତା ଘେରକୁ ଚାଲି ଯାଉଛି ।

ନବରଙ୍ଗପୁର ସହରରୁ ଜାମ ହଟାଇବା ପାଇଁ ଲୋକମାନେ ବାଇପାସ୍‌କୁ ଅପେକ୍ଷା କରିଥିବା ବେଳେ କେବେ କାମ ଆରମ୍ଭ ହେବ? ଲୋକଙ୍କୁ ସୁବିଧା ମିଳିବ ତ? ଏବେ ଏମିତି ପ୍ରଶ୍ନ ଉଠିଛି।