କନକ ବ୍ୟୁରୋ : ମାଲକାନଗିରି ସଦର ମହକୁମା ରାଜରାସ୍ତାରେ ଆଦିବାସୀଙ୍କ ଶକ୍ତି ପ୍ରଦର୍ଶନ। ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର- ଧନୁ ତୀର, ଟାଙ୍ଗିଆ, ଖଣ୍ଡା, ବର୍ଚ୍ଛା ଧରି ବିଶାଳ ରାଲି କରିଛନ୍ତି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ୨୩୪ ଗାଁର ପ୍ରାୟ ୩୦ ହଜାର ଆଦିବାସୀ । ଜଙ୍ଗଜମି ଉପରେ ଗୋଷ୍ଠୀଗତ ଅଧିକାର ଓ ପେସା ଆଇନ କାର୍ୟ୍ୟକାରୀ କରିବାକୁ ଦାବି କରିଛନ୍ତି । ବିକ୍ଷୋଭକାରୀଙ୍କ ଅଭିଯୋଗ ୨୦୧୮-୧୯ ମସିହାରୁ ଜିଲ୍ଲାର ୯୪ଟି ଗୋଷ୍ଠୀ ଅଧିକାର ପଟ୍ଟା ପ୍ରଦାନ ଲାଗି ଜିଲ୍ଲାସ୍ତରୀୟ କମିଟି ଅନୁମୋଦନ କରିଛି । କିନ୍ତୁ ବର୍ଷ ବର୍ଷ ଧରି କାହିଁକି ପଟ୍ଟା ଦିଆଯାଉ ନାହିଁ?ବୋଲି ପ୍ରଶ୍ନ ଉଠାଇଛନ୍ତି । 

Advertisment

ରାଜ୍ୟରେ ଭୁମିହୀନକୁ ଜମିପଟ୍ଟା ପ୍ରଦାନ ଲାଗି ବସୁନ୍ଧରା ଯୋଜନା କାର୍ୟ୍ୟକାରୀ ହେଉଛି । ହେଲେ ଏଥିରେ ଆଦିବାସୀ ପରିବାର ଲାଭବାନ ହୋଉ ନଥିବା ଅଭିଯୋଗ ଆଣିଛି ଆଦିବାସୀ ମହାସଂଘ । ତେଣୁ ଜଙ୍ଗଲ ଜମି ପଟ୍ଟା ନ ମିଳିବା ଯାଏଁ ବସୁନ୍ଧରା ଯୋଜନାକୁ ଜିଲ୍ଲାରେ ସ୍ଥଗିତ ରଖିବାକୁ ଦାବି ହୋଇଛି । ପ୍ରଶାସନ ସହ ସକରାତ୍ମକ ଆଲୋଚନା ଏବଂ ଖୁବ ଶିଘ୍ର ପଟ୍ଟା ପ୍ରଦାନର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ଆଦିବାସୀ ସମାଜ ମହାସଂଘ । 

ଜଙ୍ଗଲ ଜମି ଅଧିକାର ଆଇନ୍ ୨୦୦୬ ଓ ସଂଶୋଧିତ ନିୟମ ୨୦୧୨ ଅନୁଯାୟୀ ଆଦିବାସୀଙ୍କୁ ଜଂଗଲ ଜମିର ଗୋଷ୍ଠୀ ପଟ୍ଟା ପ୍ରଦାନର ବ୍ୟବସ୍ଥା ରହିଛି । କିନ୍ତୁ ସେହି ଅଧିକାରରୁ ଆଦିବାସୀ ବଂଚିତ ହେଉଥିବାରୁ ଆନ୍ଦୋଳନ ତେଜିଛି ।