କନକ ବ୍ୟୁରୋ:  ରାଜଧାନୀରେ ସୁନା ଦୋକାନ ବିବାଦ ନେଇ ଶାଶୁ ଘର ଲୋକଙ୍କ ବୋହୂ ଉପରେ ନିର୍ଯ୍ୟାତନା ଅଭିଯୋଗ, ସୁନା ଦୋକାନ ଆଗରେ ହଙ୍ଗାମା । ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁଘର ଲୋକ ନିର୍ଯ୍ୟାତନା ଦେବା ସହ ତାଙ୍କ ସ୍ଵାମୀ ବୁଝୁଥିବା ସୁନା ଦୋକାନ ଖୋଲିବାକୁ ଦେଉନଥିବା ଅଭିଯୋଗ ଆଣିଲେ ପତ୍ନୀ ରଞ୍ଜିତା ନାୟକ । 

Advertisment

ବଡ଼ଭାଇ ନାରାୟଣ ନାୟକ ଭୁବନେଶ୍ୱରରେ ଥିବା ତାଙ୍କ ପାରିବାରିକ ସୁନା ଦୋକାନ ଚଳାଉ ଥିବା ବେଳେ ସାନ ଭାଇ ସତ୍ୟବ୍ରତ କଟକରେ ଥିବା ପାରିବାରିକ ସୁନା ଦୋକାନ କଥା ବୁଝୁଥିଲେ । କିଛିଦିନ ତଳେ ସାନ ଭାଇ ସତ୍ୟବ୍ରତ ହାର୍ଟ ଆଟାକରେ ମୃତ୍ୟୁ ବରଣ କରିଥିବା ବେଳେ, ତାପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ସେହି ଦୋକାନ ଚଲେଇ ନିଜ ପେଟ ପାଟଣା ପୋଷିବା ସହ ସହ ପିଲାଙ୍କ ଭବିଷ୍ୟତ ସୁଧାରିବାକୁ ଯୋଜନା କରିଥିଲେ । ହେଲେ ସ୍ଵାମୀଙ୍କ ମୃତ୍ୟୁ ପରେ ଶାଶୁଘର ଲୋକ ତାଙ୍କ ପରିବାର କଥା ନବୁଝିବା ସହ ଚଳିବା ପାଇଁ କୌଣସି ଆର୍ଥିକ ସୁବିଧା ଦେଉନଥିବା ଓ କଟକ ଦୋକାନ ଖୋଲିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି ରଞ୍ଜିତା । ଏନେଇ ଥାନା ଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେ ଭୁବନେଶ୍ୱରରେ ଥିବା ସୁନା ଦୋକାନକୁ ଆସିଥିଲେ । ସୁନା ଦୋକାନ ଆଗରେ ପରିବାର ଲୋକଙ୍କ ବିବାଦ ଉଗ୍ର ରୂପ ନେଇଥିବା ବେଳେ ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।