କନକ ବ୍ୟୁରୋ : କମ ସମୟରେ ଅଧିକ ଟଙ୍କା ମିଳିବ। ଏମିତି ଆଶା ଦେଖାଇ ଗରିବ ଆଦିବାସୀଙ୍କୁ ଚୂନା ଲଗାଇ ଦେଇଛନ୍ତି ଫାଇନାନ୍ସ କମ୍ପାନୀ କର୍ମଚାରୀ। କମ୍ପାନୀ ଏଜେଣ୍ଟ ନିଜ ଅଂଚଳର ହୋଇଥିବାରୁ ଭରସା କରି ଶତାଧିକ ମହିଳା ଓ ପୁରୁଷ ଟଙ୍କା ରଖିଥିଲେ। ହେଲେ ସମୟ ସରିଲା, ଡ଼ିପୋଜିଟର ଅବଧି ବି ସରିଲା, କିନ୍ତୁ ମିଳିଲା ନାହିଁ ପଇସା। ସଂସ୍ଥା ବି ଉଠି ଚାଲିଗଲା। ଏବେ ହାତରେ ଡ଼ିପୋଜିଟ୍ ରସିଦ ଧରି ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି କୋରାପୁଟ ପୁରୁଣା ବୋରିଗୁମ୍ମାର ଶତାଧିକ ଆଦିବାସୀ। 

Advertisment

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପହଂଚି ନିଜ ଦୁଃଖ ଜଣାଇଛନ୍ତି ଠକେଇର ଶିକାର ବୋରିଗୁମ୍ମାର ଗରିବ ଆଦିବାସୀ। କିଏ ଦିନ ମଜୁରିଆ ତ ଆଉ କିଏ ଚାଷୀ। ପେଟରୁ କାଟି ଏଗ୍ରିଗୋଲ୍ଡ ଫାର୍ମ ନାମକ ସଂସ୍ଥାରେ ଜମା କରିଥିଲେ। ସଂସ୍ଥା କହିଥିଲା, ଟଙ୍କା ରଖିଲେ କମ ସମୟରେ ଅଧିକ ସୁଧ ମିଳିବ। ଏମିତି ପ୍ରତିଶ୍ରୁତିକୁ ବିଶ୍ୱାସ କରିବା ଆଦିବାସୀଙ୍କୁ ମହିଳାଙ୍କୁ ମହଙ୍ଗା ପଡ଼ିଛି। ସୁଦ୍ଧ ଟଙ୍କା ତ ଦୂରର କଥା ମୂଳ ବି ବୁଡ଼ିଯାଇଛି। ଏବେ ନାଁ ଏଜେଣ୍ଟର ଦେଖା ମିଳୁଛି ନା କମ୍ପାନୀର ଠିକଣା। ଟଙ୍କା ବଦଳରେ ଗୋଟିଏ ଗୋଟିଏ ରସିଦ ଧରି ଜିଲ୍ଲାପାଳଙ୍କ ପାଖରେ ଦ୍ବାରସ୍ଥ ହୋଇଛନ୍ତି ଜମାକାରୀ ।

ଏଗ୍ରିଗୋଲ୍ଡ ଫାର୍ମ କମ୍ପାନୀର ଏଜେଣ୍ଟ ଥିଲେ ନିଜ ଗାଁର ମହିଳା କ୍ଷୀରମଣି ତନ୍ତି। ତାଙ୍କୁ ଭରସା କରି କିଏ  ୧୫ ହଜାର ତ କିଏ ୨୦ ହଜାର ଟଙ୍କା ଜମା କରିଥିଲେ। ଟଙ୍କା ରଖିବା ବେଳେ ଏଜେଣ୍ଟ କ୍ଷୀରମଣି କହିଥିଲେ, କମ୍ପାନୀକୁ ବିଶ୍ୱାସ କରୁନଥିଲେ 'ମୋ ଭରସାରେ ପଇସା ଦିଅ'। କିନ୍ତୁ ଏବେ ସେ ନାହାନ୍ତି କି କମ୍ପାନୀ ନାହିଁ। ଲକ୍ଷଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।  ସେପଟେ ଜିଲ୍ଲାପାଳ କହିଛନ୍ତି ମହିଳାମାନେ ପ୍ରଥମେ ଥାନାରେ ଲିଖିତ ଅଭିଯୋଗ କରନ୍ତୁ। ତା'ପରେ କମ୍ପାନୀ ବିରୋଧରେ ତଦନ୍ତ କରାଯିବ।  

ତୁରନ୍ତ ଘଟଣାର ତଦନ୍ତ କରି ସଂସ୍ଥା ଆଉ ଏଜେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଦିବାସୀଙ୍କ କଷ୍ଚ ଅର୍ଜିତ ଧନ ଫେରାଇବାକୁ ଦାବି କରାଯାଇଛି।