କନକ ବ୍ୟୁରୋ : ଦଳ ଦଳ ହୋଇ ଘୁରି ବୁଲୁଛନ୍ତି ବୁଲା କୁକୁର। ରାସ୍ତାଘାଟ, ସାହିଗଳି ସବୁଠି ସେମାନଙ୍କ ରାଜ୍। ଛୋଟ ପିଲା ତ ଦୁରର କଥା ବଡ଼ ଲୋକଙ୍କୁ ବି ଛାଡୁ ନାହାନ୍ତି। କାହାକୁ କେତେବେଳେ କାମୁଡ଼ୁଛନ୍ତି କିଛି ଠିକ୍ ଠିକଣା ନାହିଁ। କିଛି ଦିନ ତଳେ ଜୟପୁର ବ୍ଳକର ଫୁପୁଗାଁର ଜଣେ ଶିଶୁ ନିଜ ମାମୁକୁ ଡ଼ାକିବା ପାଇଁ ଘରୁ ବାହାରିଥିବା ବେଳେ ରାସ୍ତାରେ ୫ ଟି କୁକୁର ତାକୁ ଝୁଣି ପକାଇଥିଲେ। ଏବେ ଅବସ୍ଥା ଏପରି ହୋଇଛି ଘରୁ ପଦାକୁ ବାହାରିବାକୁ ଡର ଲାଗୁଛି। ଗତ ୧୧ମାସରେ ଜିଲ୍ଲାରେ ୬ ହଜାର ୬୪୫ ଜଣଙ୍କୁ କାମୁଡ଼ିଛି ବୁଲା କୁକୁର। ସେଥିମଧ୍ୟରୁ ୨ ଜଣଙ୍କ ମୃତ୍ୟ ମଧ୍ୟ ହୋଇଛି।
ପ୍ରତିଦିନ ଡାକ୍ତରଖାନାରେ କୁକୁର କାମୁଡ଼ାରେ ଆହାତ ବ୍ୟକ୍ତିଙ୍କୁ ଦେଖି ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ। କୁକୁର ବନ୍ଧ୍ୟାକରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌରପାଳିକା ପକ୍ଷରୁ କୁକୁର ବନ୍ଧ୍ୟାକରଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି। କିନ୍ତୁ ଅର୍ଥ ଅଭାବରୁ କାମ ଆଗେଇ ପାରୁନଥିବା ଜଣାପଡ଼ିଛି ।
କୁକୁର ଲୋକଙ୍କ ଭଲ କାମରେ ବ୍ୟବହାର ହୋଇଥାନ୍ତି। ଘରେ ଗୋଟିଏ କୁକୁର ଥିଲେ ବାହାର ଲୋକ ଘରେ ପଶିବାକୁ ଭୟ କରନ୍ତି। କିନ୍ତୁ ବନ୍ଧ୍ୟାକରଣ ଅଭାବରୁ କୁକୁରଙ୍କ ସଂଖ୍ୟା ବଢିବାକୁ କୋରାପୁଟ ସ୍ଥିତି ଓଲଟା ହୋଇଛି।