କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପ୍ରକୃତିର ତାଣ୍ଡବ, ହେଉଛି ପ୍ରବଳ ବର୍ଷା । ସୋମବାର ରାତିରୁ କୋଲକାତାରେ ପ୍ରବଳ ବର୍ଷା ଲାଗି ରହିଛି । ସହରରେ ସୃଷ୍ଟି ହୋଇଛି ଜଳମଗ୍ନ ସ୍ଥିତି । ବର୍ଷା ଯୋଗୁ ୫ ଜଣ ପ୍ରାଣ ହରାଇଛନ୍ତି । ବେନିଆପୁକୁର, ଖିଦିରପୁର, ନେତାଜୀ ନଗର, ଗରିଆହାଟ ଓ ଇବାଲପୁରରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଗାରିଆ କାମଦାହାରୀରେ ରେକର୍ଡ ହୋଇଛି ୩୩୨ ମିଲିମିଟର ବର୍ଷା । ମେଟ୍ରୋ ଓ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ହାଓଡ଼ା ଓ ସିଆଲଦା ଷ୍ଟେସନରେ ଟ୍ରେନ ଚଳାଚଳ କରୁନାହିଁ । ଅନେକ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ଯୋଗୁ ଦୁର୍ଗାପୂଜା ପ୍ରସ୍ତୁତି ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଅନ୍ୟପଟେ ଗୁଜରାଟର ଡାଙ୍ଗ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଖାପରୀ, ଅମ୍ବିକା, ପୂର୍ଣ୍ଣା ଓ ଗୀରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳମଗ୍ନ ହୋଇଛି ତଳିଆ ଅଞ୍ଚଳ । ଗାଲକୁଣ୍ଡ ଅଞ୍ଚଳରେ ବାଦଲ ବାଦଲଫଟା ବର୍ଷା ଯୋଗୁ ଖାପରୀ ନଦୀରେ ବନ୍ୟା ଆସିଛି । ୧୫ଟି ଗାଁ ସମ୍ପର୍କ ବିଚ୍ଛିନ୍ନ ହୋଇଛି ଏବଂ ବନ୍ଦ ରହିଛି ବାଘାଇ-ଆହ୍ୱା ମୁଖ୍ୟରାସ୍ତା । ସ୍ଥାନୀୟ ଲୋକ ଜୀବନକୁ ବିପଦରେ ପକାଇ ନଦୀ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।