କନକ ବ୍ୟୁରୋ : ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗର ବନ୍ୟା ପାଣି ଏକାଧିକ ଗାଁରୁ ଛାଡି ନଥିବା ବେଳେ ଦାଉ ସାଜିଛି ଲଗାଣ ବର୍ଷା। ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା ।
ଉତ୍ତରରୁ ଦକ୍ଷିଣ କଲବଲ କରୁଛି ବର୍ଷା
କେନ୍ଦୁଝରରେ ଖସିଲା ମାଟି ଅତଡ଼ା
ଲଗାଣ ବର୍ଷା ଯୋଗୁଁ କୋରାପୁଟ- ଜୟପୁର ରେଳପଥ ଜରଟି ନିକଟରେ ପାହାଡ ଧସି ରେଳ ଧାରଣା ଉପରେ ପଡିଛି । ଯାହାଫଳରେ ସେହି ଲାଇନରେ ପ୍ରଭାବିତ ହୋଇଛି ରେଳ ଚଳାଚଳ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଜମାନ ଗାଡ଼ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଡ୍ରାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି l ରାସ୍ତା ଧୋଇଯିବାରୁ ଦଶମନ୍ତପୁର ଓ କୋରାପୁଟ ଯୋଗାଯୋଗ ବିଛିନ୍ନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଧସି କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବିଛାକୁଣ୍ଡୀ ନିକଟସ୍ତ ଦଲ ପାହାଡ ଠାରେ ୩ ଜଣକର ମୃତ୍ୟୁ ହୋଇଛି । ବେଆଇନ ମାଙ୍ଗାନିଜ ଖଣିଜ ଉତ୍ତୋଳନ ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ପାଣି କମୁଥିଲେ ବି କମୁନି ଦୁର୍ଦ୍ଦଶା
ସୁବର୍ଣ୍ଣରେଖା ଓ ଜଳକାରେ ପାଣି କମୁଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମୁନି । ଭୋଗରାଇ ଅଞ୍ଚଳରୁ ଆସିଛି ବନ୍ୟାର ଭୟଙ୍କର ଦୃଶ୍ୟ । ଭୋଗରାଇ ବ୍ଲକର କୁଶୁଡା, ଗବଗାଁ, ଲାଛିଣ୍ଡା ଓ ଖରିଦିପିପଲ ପଂଚାୟତ ପାଣି ଘେରରେ ଅଛି । ଲୋକଙ୍କ ଯାତାୟତ ପାଇଁ ଦୁଇଟି ଡଙ୍ଗା ଦିଆଯାଇଛି । କୁମ୍ଭୀରଗଡି ଓ ଆରୁହାବର୍ତ୍ତୀ ପଞ୍ଚାୟତରେ ପାଣି କମିଥିଲେ ବି ଲୋକେ ଦୁର୍ଦ୍ଦିନରେ ଅଛନ୍ତି । ବାଲିଆପାଳ ବ୍ଲକର ୬ଟି ପଞ୍ଚାୟତର ୨୦ଟି ଗାଁ ପାଣିଘେରରେ ଅଛି । ଅନେକ ରାସ୍ତାରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । ବସ୍ତାରେ ସ୍ଥିତି ସ୍ବାଭାବିକ ହେଉଛି । ରିଲିଫ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି ବନ୍ୟା ପ୍ରଭାବିତ । ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଅଧିକ ବର୍ଷା ହେଲେ ବନ୍ୟା ପ୍ରଭାବିତଙ୍କ ଦୁଃଖ ବଢ଼ିବ ।