କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଜଳ ସଙ୍କଟର ଚିତ୍ର । କେନ୍ଦ୍ରାପଡ଼ା ବାରୁଅ ପଞ୍ଚାୟତର ତଳସାହି, ଢ଼ିଅସାହିରୁ ନେଇ  କୁମ୍ଭାର ସାହିରେ ଦେଖାଦେଇଛି ପିଇବା ପାଣି ସମସ୍ୟା । ପଞ୍ଚାୟତରେ ପିଇବା ପାଣିର କୌଣସି ସୁବିଧା ନାହିଁ । ଗୋଟିଏ ନଳକୂପ ଅଛି, ତାହା ବି ଅଚଳ ହୋଇପଡ଼ିଛି । ଫଳରେ ପରିତ୍ୟକ୍ତ ହୋଇପଡ଼ିଥିବା ପୋଖରୀ ପାଣି ପାଲଟିଛି ପାଖାପାଖି ୧୫୦ ପରିବାରର ଭରସା। ବିଶୁଦ୍ଧ ପାଣି ଯୋଗାଇଦେବାକୁ ଅନେକ ଥର ଗାଁ ମହିଳା ରାସ୍ତାକୁ ଓହ୍ଲାଇଛନ୍ତି । ହେଲେ ପାଣି ସମସ୍ୟା ଏବେ ବି ସମାଧାନ ହୋଇପାରିନ । ଯାହାପାଇଁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । 

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଠାରୁ ମାତ୍ର ୫ କି.ମି ଦୂରରେ ଜଳ ସଙ୍କଟର ଏହି ଚିତ୍ର ଦେଖିବାକୁ ମିଳିଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ବାରା ଠିକ ଭାବେ ପାଇପ ନପକାଇବା କାରଣରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଇଛି । ତେବେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି ।

କେନ୍ଦ୍ରାପଡ଼ାର କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଁ ଏମିତି ଅନେକ ପଞ୍ଚାୟତର ଲୋକ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ପାଣି ସମସ୍ୟାର ସମାଧାନ କରାଗଲେ ଲୋକ ଉପକୃତ ହୋଇପାରିବେ।