କନକ ବ୍ୟୁରୋ : ଡାକ୍ତରଖାନାରେ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ଲମ୍ବା ଧାଡ଼ି । ଟିକେଟ୍ କରିବେ, ଡାକ୍ତର ଦେଖାଇବେ । ରୋଗ ଯନ୍ତ୍ରଣାରୁ ଉପଶମ  ମିଳିବ । ହେଲେ ଯେଉଁଠି ୬୦ ପ୍ରତିଶତରୁ ଅଧିକ ଡାକ୍ତର ଓ ନର୍ସ ପଦବୀ ଖାଲି ପଡ଼ିଛି ସେଠି କେମିତି ମିଳିବ ସ୍ୱାସ୍ଥ୍ୟସେବା । ଜଗତସିଂହପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମରୁଡ଼ି ପଡ଼ିଛି । ମୋଟ ୩୮୫ ଡାକ୍ତର ପଦବିରୁ ୨୩୪ଟି ଖାଲି ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ନାହାନ୍ତି । ଯକ୍ଷ୍ମା, କୁଷ୍ଠ ଓ ଭିଭିଡି ଅଫିସର ପଦବି ବି ଖାଲି ପଡ଼ିଛି । ୭୧୮ ନର୍ସିଂ ଅଫିସରଙ୍କ ମଧ୍ୟରୁ ୪୭୨ଟି ପଦବି ପୂରଣ ହୋଇନାହିଁ । ୨୫ଟି ଫାର୍ମାସିଷ୍ଟ ପଦବି ଖାଲି ରହିଛି ।

Advertisment

ଜିଲ୍ଲାରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ କାରଣରୁ କାର୍ଯ୍ୟରତ  ଡାକ୍ତରଙ୍କୁ ଅଧିକ ସମୟ ପରିଶ୍ରମ କରିବାକୁ ପଡ଼ୁଛି । ଫଳରେ ବ୍ୟାପକ ଅସୁବିଧା ହେଉଥିବା କହିଛନ୍ତି ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ। ଲୋକଙ୍କ ଆବଶ୍ୟକତା ଏବଂ ସ୍ୱାର୍ଥକୁ ଦୃଷ୍ଟିରୁ ତୁରନ୍ତ ଡାକ୍ତର ପଦବି ପୂରଣ ପାଇଁ ଦାବି ହୋଇଛି ।