କନକ ବ୍ୟୁରୋ : ପ୍ରବଳ ଖରା ଯୋଗୁ ଜଳଉତ୍ସ ଶୁଖିଯାଉଛି । ମଣିଷ ସହ ପଶୁପକ୍ଷୀ ମଧ୍ୟ ପାଣି ପାଉନାହାନ୍ତି । ହେଲେ କଥା କହିପାରୁନଥିବା ପକ୍ଷୀଙ୍କ କଥା ବୁଝିଛନ୍ତି ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ କୁଟୁରାଚୁଆଁ ଗାଁର ସରୋଜ ମେହେର। ନିଜ ବାଡ଼ି ଓ ପାଖ ଟୁଙ୍ଗୁରି ପାହାଡ଼ରେ ଥିବା ଗଛରେ ପାଣିଭର୍ତ୍ତି ଶହଶହ ଠେକି ବାନ୍ଧି ପକ୍ଷୀଙ୍କ ଶୋଷ ମେଣ୍ଟାଇବାର ବ୍ୟବସ୍ଥା କରିଛନ୍ତି । ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ପରିବାର ।
୨ ବର୍ଷ ହେଲା ସରୋଜ ମେହେର ଏହି କାମ କରିଆସୁଛନ୍ତି । ପ୍ରତିଦିନ ସକାଳୁ ଉଠି ନିଜ ପରିବାର ସହ ମିଶି ଠେକିରେ ପାଣି ଭର୍ତ୍ତି କରିଥାନ୍ତି ସରୋଜ । ସରୋଜଙ୍କ ବାପା ଧନୁର୍ଜୟ ଠେକି ସବୁକୁ ସଜାଇ ଗଛରେ ବାନ୍ଧିବା ପାଇଁ ସରୋଜଙ୍କୁ ଦିଅନ୍ତି ଏବଂ ସ୍ତ୍ରୀ ମନ୍ଦାକିନୀ ପାଣି ଯୋଗାଇ ଦିଅନ୍ତି । ଏହି କାମ କରି ବେଶ୍ ଖୁସି ଅନୁଭବ କରୁଥିବା କହନ୍ତି ସରୋଜଙ୍କ ପରିବାର ।
ଏହି ମହତ୍ କାମ ପାଇଁ ସରୋଜଙ୍କୁ ଲୋକମାନେ ବେଶ୍ ପ୍ରଶଂସା କରିଛନ୍ତି । ସରୋଜଙ୍କ ଭଳି ସମସ୍ତେ ନିରୀହ ପଶୁପକ୍ଷୀଙ୍କ ପାଇଁ କାମ କରିବା ଦରକାର ।