କନକ ବ୍ୟୁରୋ  : ଗଞ୍ଜାମରେ ଥମିବାର ନାଁ ଧରୁନି ଦାଦନ ଯନ୍ତ୍ରଣା । ପରିବାର ପୋଷିବା ସହ କରଜ ଶୁଝିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ , ସେଠାରେ କାମ ବି କଲେ । ହେଲେ ପାରିଶ୍ରମିକ ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଛନ୍ତି ପ୍ରଭାକର ନାହାକ ।  

Advertisment

ରାଜ୍ୟ ବାହାରେ ଦାଦନ ଶ୍ରମିକ କେମିତି ନିର୍ଯାତିତ ହୁଅନ୍ତି ତାର ସଦ୍ୟ ଉଦାହରଣ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଦାସିଆମାରୀ-ପଲ୍ଲୀ ଗାଁର ପ୍ରଭାକର ନାହାକ । କରଜ ଟଙ୍କା ଶୁଝିବାକୁ ୬ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ । ଭଦ୍ରକର ଠିକାଦାର ପର୍ଶୁରାମ ଦାଶଙ୍କ ଅଧୀନରେ କମ୍ପାନିରେ କାମ କରୁଥିଲେ । ଆଉ ପାରିଶ୍ରମିକ ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡ଼ିଛି । ମାଡ଼ ମାରିବା ପରେ ପ୍ରଭାକରଙ୍କୁ ଡାକ୍ତରଖାନାରେ ଛାଡ଼ି ଉଭୟ ଚାଲିଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

ପରିବାର ଲୋକ ବେଙ୍ଗାଲୁରୁରୁ ତାଙ୍କୁ ଘରକୁ ଆଣିଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା କରିନପାରି ଘରେ ପକାଇ ରଖିଛନ୍ତି । ବର୍ତ୍ତମାନ ପ୍ରଭାକର କଥା କହିପାରୁନାହାନ୍ତି । ସେପଟେ ଠିକାଦାର ସବୁ ଘଟଣାକୁ ଏଡ଼ାଇଯାଇଛନ୍ତି । ତେଣୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପ୍ରଭାକରଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକ । ସରକାର ବଦଳିଲା କିନ୍ତୁ ବଦଳିଲାନି ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା । ଗଞ୍ଜାମରେ କେବଳ ପ୍ରଭାକର ନୁହେଁ ତାଙ୍କ ଭଳି ଅନେକ ଲୋକ ଦାଦନ ଯନ୍ତ୍ରଣା ଭୋଗୁଛନ୍ତି ।