କନକବ୍ୟୁରୋ : ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ଚଳଚଞ୍ଚଳ । ଭକ୍ତିମୟ ପରିବେଶ ଭିତରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଜଗତର ନାଥ ଜଗନ୍ନାଥ ଧୀରେ ଧୀରେ ସ୍ନାନବେଦି ଆଡକୁ ମାଡିଆସୁଛନ୍ତି । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ କଲେଣି ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର । ତାଙ୍କ ପୂର୍ବରୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ବଡ଼ଭାଇଙ୍କ ପରେ ଆସି ବିଜେ କରିସାରିଛନ୍ତି ମା’ ସୁଭଦ୍ରା । ଏବେ ପହଣ୍ଡି କରି ଆସୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ଶ୍ରୀ ଜଗନ୍ନାଥ । ପ୍ରଚଣ୍ଡ ଗରମ , ଗୁଳୁଗୁଳି ଭିତରେ ଆଜି ପ୍ରାଣପ୍ରିୟ ଠାକୁର ଗାଧୋଇବେ । ଦେହକୁ ଶୀତଳ କରିବେ । ଏଥିପାଇଁ ସମସ୍ତେ ଚଳଚଞ୍ଚଳ ।
/kanak/media/media_files/2025/06/11/6d4AmPBcKrwDTwKB0cMH.png)
ସଂସାର କଥା ଭାବିବାକୁ କାହାରି ପାଖରେ ତର ନାହିଁ । ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । କାହା କଥା କିଏ ଶୁଣୁଛି ,କାହା କଥା କିଏ ଭାବୁଛି । ସମସ୍ତଙ୍କ ମନ, ଆଖି ସେଇ ଠାକୁରଙ୍କ ଉପରେ । ବଡଦାଣ୍ଡରେ ଥାଟ୍ଟ ମାରି ରୁଣ୍ଡ ହୋଇଛନ୍ତି ଭକ୍ତ । ସମସ୍ତଙ୍କ ମନରେ ଗୋଟିଏ ଚେତନା; ଶ୍ରୀଜଗନ୍ନାଥ ଚେତନା, ବିଭୂ ଚେତନା । ଆଜି ମସସ୍ତେ ଏକାକାର ନିଜ ପ୍ରିୟ ମହାପ୍ରଭୁଙ୍କ ଭାବନାରେ । ସେ ଜଗତର ନାଥ ଜଗନ୍ନାଥଙ୍କ ଗାଧୁଆ ଆଜି ସମସ୍ତେ ଦେଖିବେ । ତା ଲୀଳା ତ ଦୁନିଆ ଦେଖେ ସବୁ ଜାଣିଥାଏ କିନ୍ତୁ କିଛି ନଜାଣିବା ପରି ଅଭିନୟ ମଧ୍ୟ କରିବା ତାକୁ ବେଶ ଭଲ ଭାବେ ଜଣା । ସେଥିପାଇଁ ତ ସେ ଭକ୍ତର ଅଭିମାନ ବୁଝେ ଭାବ ବୁଝେ କିନ୍ତୁ କେବେ ସେ ଅହଙ୍କାର ସହେନାହିଁ ।
/kanak/media/media_files/2025/06/11/Ikf9xdqG53zVnwKhLgLs.jpg)
କିନ୍ତୁ ଆପଣ କଣ ଜାଣନ୍ତି ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବିଷୟରେ ...
ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତି ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି । ଶାସ୍ତ୍ରମତରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା ।
/kanak/media/media_files/2025/06/11/ll8U4q9djIdqCtSlUGmw.jpg)
ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।
ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ନିହିତ । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।
ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି