କନକ ବ୍ୟୁରୋ: ଦୀପାବଳି । ଆଲୋକର ପର୍ବ ଓ ଉତ୍ସବର ପର୍ବ । ଦେଶବିଦେଶରେ ବେଶ ଖୁସିର ସହ ଏହାକୁ ପାଳନ କରିଥାନ୍ତି କିନ୍ତୁ ଯେବେ ଏହି ପର୍ବ  କାହାର ପ୍ରାଣ ନିଏ, କିଏ ବଡ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରେ, ଜୀବଜନ୍ତୁ ଯେତେବେଳେ ଆଘାତରେ କଷ୍ଟ ପାଆନ୍ତି ତାର ମୂଲ୍ୟ କ’ଣ ରହିବ । ଠିକସେଭଳି କିଛି ଘଟଣା ସାରା ଦେଶରୁ ଆସିଛି । କେଉଁଠି ବାଣ ଫୁଟାଇବା ସହ ପ୍ରାଣହାନି ହୋଇଛି ତ ଆଉ କେଉଁଠି ବଡ ଘାତକ ସାଜିଛି ବାଣଫୁଟା ।

Advertisment

କେଉଁଠି ବିସ୍ଫୋରଣ, କେଉଁଠି ଅଘଟଣର ଘଟଣା ସାମ୍ନାକୁ ଆସିଛି । ପ୍ରଥମ ଚିତ୍ର ହେଉଛି ଆନ୍ଧ୍ରପ୍ରଦେଶର । ତାନୁକ ଅଂଚଳରେ ଜଣେ ବ୍ୟକ୍ତିଙ୍କ ସ୍କୁଟି ଉପରେ ଥୁଆ ହୋଇଥିବା ବାଣ ପେଟି ହଠାତ ଫାଟିବା ପରେ ସ୍ଥାନୀୟ ଅଂଚଳ ପୂରା ଧୂଆଁମୟ ହୋଇଉଠିଛି । କେବଳ ସେତିକି ନୁହେଁ ଜଣଙ୍କ ମୃତ୍ୟୁ ହେବା ସହ ୪ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆଉ ଦ୍ୱିତୀୟ ଚିତ୍ର ଆସିଛି ଝାଡଖଣ୍ଡରୁ । ବୋକୋରୋର ଗାର୍ଗା ବ୍ରିଜ୍ ନିକଟରେ ଥିବା ବାଣ ଦୋକାନରେ ନିଆଁ । ନିଆଁ ଲାଗିଥିବାରୁ ଅନେକ ଦୋକାନ ପାଉଁଶ ହୋଇଯାଇଥିଲା। ନିଆଁ ବିଷୟରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବହୁ ଚେଷ୍ଟା ପରେ ପାଞ୍ଚଟି ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ନିଆଁ ଲାଗିଥିବା କାରଣରୁ ୧୩-୧୪ଟି ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଛି । ମିଳିଥିବା ସୂଚନା ଅନୁସାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଅନେକ ଦୁର୍ଘଟଣାର ଚିତ୍ର

ବାଣଫୁଟିଲା ସମସ୍ୟା ଆସିଲା
ଦେଶର ଅନ୍ୟାନ୍ୟ ସ୍ଥାନରୁ ଆସିଛି ସମାନ ଚିତ୍ର ।  ବାଣଫୁଟା ସରିଗଲା କିନ୍ତୁ ଛାଡି ଦେଇଗଲା ଅନେକ ସମସ୍ୟା ।  ଦେଶର ଅଧିକାଂଶ ସହରର ସ୍ଥିତି ବେଶ ସଂଗୀନ ରହିଛି । ବିଶେଷ କରି ବୟସ୍କମାନେ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ଯୁଆଡେ ନଜର ପଡୁଛି ସେଠି କେବଳ କୁଢ଼ କୁଢ଼ ଅଳିଆ,ଫୁଟାବାଣ ପଡିରହିଛି । ସେପଟେ ସବୁଠୁ ଅଧିକ ମୁଣ୍ଡବିନ୍ଧା ସାଜିଛି ଦିଲ୍ଲୀର ପ୍ରଦୂଷଣ ସମସ୍ୟା । ରାଜଧାନୀର ବାୟୁ,ପବନ ପୂର୍ବରୁ ହିଁ ବିଷାକ୍ତ ହୋଇ ରହିଥିବାବେଳେ ଏବେ ଦୀପାବଳିର ବାଣଫୁଟା ବୋଝ ଉପରେ ନଳିତା ବିଡା ସାଜିଛି । ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର ହୋଇଛି । ଗୁରୁବାର ଦିପାବଳୀ ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି । 

କୁହାଯାଏ ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ । କିନ୍ତୁ ଯଦି ଟଙ୍କା ଖର୍ଚ୍ଚ କରି ଦିନକ ଖୁସି ପାଇଁ ଯଦି ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରାଯିବ,ନିୟମ ଥିଲେ ବି ଏହାକୁ ଉଲ୍ଲଂଘନ କରାଯିବ ତେବେ ଆଗକୁ ଏହା ବଡ ବିପଦ ନେଇ ଆସିବ ଏନେଇ କୌଣସି ସନ୍ଦେହ ନାହିଁ ।