କନକ ବ୍ୟୁରୋ : ବାହାଘର ହେଉ କି ବ୍ରତଘର ଅବା ସାମାଜିକ କାର୍ଯ୍ୟକ୍ରମ । ଏଥିପାଇଁ ଲୋଡ଼ା ମଣ୍ଡପ । ଲୋକଙ୍କ ଚାହିଦାକୁ ଦେଖି କଟକ ସହରରେ ଗଢ଼ି ଉଠିଛି ଅନେକ ମଣ୍ଡପ । କିନ୍ତୁ ଏଗୁଡ଼ିକ ସବୁ ଘରୋଇ ମଣ୍ଡପ । ଏହାକୁ ବୁକ୍ କରିବାକୁ ହେଲେ, ମୋଟା ଅଙ୍କର ଟଙ୍କା ଦେବାକୁ ପଡୂୁଛି । ଲୋକମାନେ ବାଧ୍ୟ ହୋଇ ଟଙ୍କା ଗଣୁଛନ୍ତି । କାରଣ ସରକାରୀ ମଣ୍ଡପ ସଂଖ୍ୟା କମ୍ । ସମସ୍ତଙ୍କ କ୍ଷେତ୍ରରେ ଘରୋଇ ମଣ୍ଡପ ଭଡ଼ାରେ ନେବା ସମ୍ଭବପର ହୋଇପାରୁନି । କଟକ ମହାନଗର ନିଗମ ପକ୍ଷରୁ ଗୋପାଳପୁର ତାରିଣୀ ମନ୍ଦିର ନିକଟରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଥିଲା । ହେଲେ ୮ ବର୍ଷରୁ ଅଧିକ ହେଲାଣି ଆଜି ଯାଏଁ ମଣ୍ଡପଟି କାର୍ଯ୍ୟକ୍ଷମ ହୋଇପାରିନି ।
ମଣ୍ଡପର ବାହାରେ ପାଣି ଜମିଛି । ସିଏମ୍ସି ଅଳିଆ ଗାଡ଼ି ଥୁଆ ହୋଇଛି । ଭିତର କିନ୍ତୁ ଚକାଚକ୍ ଅଛି । ହେଲେ ପ୍ରତିବର୍ଷ ମଣ୍ଡପ ମରାମତି ଆଳରେ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ୨୦୧୭ ସ୍ୱାୟତ୍ତ ଶାସନ ଦିବସରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପର ଉଦ୍ଦଘାଟନ ହୋଇଥିଲା । କିନ୍ତୁ ସେବେଠୁ କାମରେ ଲାଗି ପାରୁନି । ସେପଟେ ମେୟର କହିଛନ୍ତି କିଛି କାମ ବାକି ଅଛି, ଦୁଇରୁ ତିନି ମାସ ମଧ୍ୟରେ ସରିବା ପରେ ଲୋକମାନେ ବ୍ୟବହାର କରିପାରିବେ ।
କଟକ ସହରରେ ଏମିତି ବହୁତ ମଣ୍ଡପ ଅଛି ଯାହା ଲୋକଙ୍କ ବ୍ୟବହାରରେ ଲାଗୁନାହିଁ । ଫଳରେ ସାଧାରଣ ଲୋକମାନେ ବାହାଘର ବ୍ରତଘର କିମ୍ବା କୌଣସି ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି ।