କନକ ବ୍ୟୁରୋ : କଟକ ବାରଙ୍ଗରେ ପୁଅ, ବୋହୂଙ୍କୁ ବାପା ପେଟ୍ରୋଲ ଢ଼ାଳି ଜାଳିଦେବା ଘଟଣାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦୀନବନ୍ଧୁ । ୫ ଦିନ ଆଗରୁ ବୋହୂର ଜୀବନ ଯାଇଥିବାବେଳେ ଆଜି ସକାଳେ ଆଖି ବୁଜିଛନ୍ତି ପୁଅ ଦୀନବନ୍ଧୁ। ଟଙ୍କା ନ ଦେବାରୁ ପୁଅବୋହୂଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ଜହ୍ଲାଦ ବାପା। ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ଗିରଫ କରିଛି ପୁଲିସ। କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବାରସିଙ୍ଗା ଗାଁରେ ଗତ ଶନିବାର ଘଟିଥିଲା ଏହି ଜଘନ୍ୟକାଣ୍ଡ ।
ନଭେମ୍ବର ୩୦ ତାରିଖରେ ଗୋବର୍ଦ୍ଧନ ନିଜ ପୁଅ ଦୀନବନ୍ଧୁଙ୍କୁ ଟଙ୍କା ମାଗିଥିଲେ। ହେଲେ ଦୀନବନ୍ଧୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏଥିରେ ଗୋବର୍ଦ୍ଧନ ଉତକ୍ଷିପ୍ତ ହୋଇ ପୁଅ, ବୋହୂ ଖାଇବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୀନବନ୍ଧୁଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ଦୁହିଁଙ୍କର ୪ ବର୍ଷର ପୁଅ ଏବେ ବାପା, ମାଆଙ୍କୁ ହରାଇ ଅନାଥ ହୋଇ ଯାଇଛି ।