କନକ ବ୍ୟୁରୋ: ବ୍ରହ୍ମପୁରରେ ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଅକ୍ସିଜେନ ଦେବା ଘଟଣାକୁ ନେଇ ଶିଶୁ ବିଭାଗର ଅଜବ ଯୁକ୍ତି । ବିଭାଗ କହିଛି, ଚିକିତ୍ସା ପଦ୍ଧତିରେ ରହିଛି ଏପରି ବ୍ୟବସ୍ଥା। ଚିକିତ୍ସା ବିଜ୍ଞାନ ବହିରେ ମଧ୍ୟ ଲେଖାଅଛି । ସମାନ ଅମ୍ଳଜାନ ସ୍ତର ଥିଲେ ଗୋଟିଏ ସିଲିଣ୍ଡରରୁ ଦୁଇ ଜଣଙ୍କୁ ଦେଇହେବ । ଅମ୍ଳଜାନ ନେଇଥିବା ଶିଶୁଙ୍କ ଶରୀରରେ ସମାନ ସ୍ତର ଥିଲା। ତେବେ କେଉଁ ବହିରେ ଏହା ଲେଖା ହୋଇଛି, ତା’ର ରେଫେରେନ୍ସ ଦେବାକୁ ଶିଶୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏମକେସିଜି ଅଧିକ୍ଷକ । ସେପଟେ କେଉଁ ପରିସ୍ଥିତିରେ ଏଭଳି ହେଲା, ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆରଡିସି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଆରଡିସି କହିଛନ୍ତି । କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ କରାଯାଇଥିଲା। ଆଉ କନକ ନ୍ୟୁଜରେ ଖବର ଦେଖିବା ପରେ ତତ୍ପରତା ପ୍ରକାଶ କରିବା ସହ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । ଗତକାଲି ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଏପରି ଅବ୍ୟବସ୍ଥା ଓ ଅବହେଳାର ବିକଳ ଚିତ୍ର ସାମ୍ନାକୁ ଆସିଥିଲା ।  ବଡ଼ ଡାକ୍ତରଖାନା ହୋଇ ବି କେମିତି ସର୍ବନିମ୍ନ ଆକ୍ସିଜେନ ସୁବିଧା ନାହିଁ, ଇଏ ହେଉଛି ତାର ଅସଲ ଚିତ୍ର। ଏମକେସିଜି ସୁପର ସ୍ପେଶାଲିଟି କୋଠା ପାଖରେ ଏ ଚିତ୍ର ଦେଖିବାକୁ ମିଳିଥିଲା । ଦୁଇଜଣ ନବଜାତ ଶିଶୁଙ୍କୁ ଇକୋ ଚିକିତ୍ସା ଲାଗି ଏଠାକୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ଦୁଇ ଶିଶୁଙ୍କ ଲାଗି ଦୁଇଟି ଆକ୍ସିଜେନ ସିଲିଣ୍ଡର ମିଳିନଥିଲା । ବାଧ୍ୟ ହୋଇ ଦୁଇ ଶିଶୁଙ୍କୁ ଗୋଟିଏ ଆକ୍ସିଜେନ ସିଲିଣ୍ଡରରୁ ଆକ୍ସିଜେନ ଦିଆଯାଇଥିଲା।