କନକବ୍ୟୁରୋ : ଜୁଲାଇ ୭ ତାରିଖରେ ବିଜେଡିର ସବୁ କମିଟିକୁ ଭାଙ୍ଗିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବରିଷ୍ଠ, ଯୁବ, ଛାତ୍ର ଓ ମହିଳାଙ୍କ ରାଜ୍ୟସ୍ତରୀୟ କମିଟିକୁ ଭାଙ୍ଗି ସଙ୍ଗଠନର ନବକଳେବର ପାଇଁ ସଂକେତ ଦେଇଥିଲେ ନବୀନ  । କିନ୍ତୁ ଦୀର୍ଘ ୫ ମାସ ବିତିଯାଇଥିଲେ ମଧ୍ୟ ନୂଆ କମିଟିରେ ମୋହର ବାଜିପାରୁନି। ସମନ୍ବୟ କମିଟି ଜରିଆରେ ଚାଲିଛି ଦଳୀୟ କାର୍ଯ୍ୟକ୍ରମ । 

Advertisment

୨୪ ବର୍ଷ ଧରି କ୍ଷମତା ଉପଭୋଗ କରୁଥିବା ବିଜେଡି ନେତା ପଦପଦବୀ ବିନା ଏବେ ଅଣନିଶ୍ବାସୀ ହେଲେଣି । ପଦପଦବୀ ପାଇଁ ମୁଖିଆଙ୍କ ଉପରେ ଅଦୃଶ୍ୟ ଚାପ ପଡିଲାଣି। ଯେଉଁଥିପାଇଁ ୩ ଦିନ ତଳେ ଶଙ୍ଖ ଭବନରେ ବସିଥିବା ଉପଦେଷ୍ଟା କମିଟି ବୈଠକରେ ଦଳର ପୁର୍ନବିନାସ ପାଇଁ ପ୍ରସ୍ତାବ ପାରିତ ହୋଇଛି । ମିଳିଥିବା ସୂଚନା ଅନୁସାରେ,  ବିଜେଡିରେ ୨ ନମ୍ବର ନେତା କିଏ ହେବ , ତାହାକୁ ନେଇ ଚାଲିଛି ଜୋରଦାର କସରତ ।

ବବି ସାଙ୍ଗଠନିକ ପଦରୁ ବିଦା ହେବା ପରେ କାହାକୁ କମାଣ ଦିଆଯିବ ସେନେଇ ଚିନ୍ତାରେ ନବୀନ । ନିର୍ବାଚନରେ ପ୍ରଣବଙ୍କ ଫର୍ମୁଲା ଫେଲ ମାରିବା ପରେ  ସମନ୍ବୟ ଓ ପରିଚାଳନା କମିଟି ଜରିଆରେ ସାମ୍ନାକୁ ଆସିଛନ୍ତି ଭେଟରାନ ଦେବୀ ମିଶ୍ର । ସେପଟେ ସୁପ୍ରିମୋଙ୍କ ଭରସା ଜିତିବାକୁ ସଞ୍ଜୟ, ଅତନୁ, ଅରୁଣ ଏବେ ପୁଣି ସଙ୍ଗଠନରେ ସକ୍ରିୟ ହେଲେଣି ।  ଚର୍ଚ୍ଚା ହେଉଛି ସଭ୍ୟ ସଂଗ୍ରହ ଅଭିଯାନ ପରେ ବିଜେଡିରେ ନବକଳେବର ହୋଇପାରେ। ସେପଟେ ଦଳରେ ଏବେ ବିଶୃଙ୍ଖଳା ଚରମସୀମା ଛୁଇଁଲାଣି। ତେଣୁ କାହାକୁ ଦଳୀୟ ପଦପଦବୀ ଦେଇ ସନ୍ତୁଷ୍ଟ କରାଯିବ ତାହା ନବୀନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।