କନକ ବ୍ୟୁରୋ: ପୁଅକୁ ବନବାସରେ ପଠାଇଲେ ଲାଲୁ । ହେଲେ କାହିଁକି ଆଉ କ'ଣ ପାଇଁ? ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜ ପୁଅ ତେଜପ୍ରତାପ ଯାଦବଙ୍କୁ ୬ ବର୍ଷର ରାଜନୈତିକ ବନବାସରେ ପଠାଇଦେଇଛନ୍ତି । ଯାହାକି କେବେ ବି ରାଜନୀତିରେ କୌଣସି ବାପା କରିଥିବା ଭଳି ମନେ ହେଉନି । ହେଲେ ଲାଲୁଙ୍କର ଏହି ନିଷ୍ପତ୍ତିକୁ ନେଇ କିନ୍ତୁ ବିହାର ରାଜନୀତିରେ ଆରମ୍ଭ ହୋଇଛି ଭିନ୍ନ ଏକ ଚର୍ଚ୍ଚା । କାହିଁକି ତେଜପ୍ରତାପଙ୍କୁ ଏମିତି ବନବାସରେ ପଠାଇଦେଲେ ଲାଲୁ? ଲାଲୁଙ୍କ ନିଷ୍ପତ୍ତି ପଛରେ ଅଛି କି, ଆଉ କିଛି ଉଦ୍ଦେଶ୍ୟ? ନା, ସାନ ପୁଅ ତେଜସ୍ୱୀ ପାଇଁ ବନବାସରେ ଗଲେ ଲାଲୁ ନନ୍ଦନ ତେଜପ୍ରତାପ? ଭାରତକୁ ମୌସୁମୀ ଆସିବା ଚର୍ଚ୍ଚା ଭଳି, ବିହାର ରାଜନୀତିରେ ତେଜପ୍ରତାପଙ୍କ ଏହି ତେଜ୍ୟପୁତ୍ର ହେବା କଥା ଚର୍ଚ୍ଚା ହେଉଛି ।
ଅସଲ କଥା ହେଉଛି, ରାଷ୍ଟ୍ରୀୟ ଜନତା ଦଳର ମୁଖିଆ ଥିବା ଭେଟେରାନ୍ ନେତା ଲାଲୁ ପ୍ରସାଦ ଯାଦବ ନିଜ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କୁ ନିଜ ଦଳ ଆରଜେଡିରୁ ୬ ବର୍ଷ ପାଇଁ ସସପେଣ୍ଡ୍ କରିଛନ୍ତି । ତା ସହିତ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ କାଟିଛନ୍ତି । ହେଲେ ରାଜନୀତିରେ ରୁଚି ରଖୁଥିବା ଲୋକ କିନ୍ତୁ, ଲାଲୁଙ୍କର ଏହି ନିଷ୍ପତ୍ତିକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି । ଯେହେତୁ ଆସନ୍ତାବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ତେଣୁ ଏଭଳି ଏକ ସମୟରେ ଲାଲୁଙ୍କର ଏତେ ବଡ଼ ନିଷ୍ପତ୍ତି, ବିହାର ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି ।
ଅନେକ ସମୟରେ ଚର୍ଚ୍ଚା ହୁଏ, ତେଜସ୍ୱୀଙ୍କୁ ବିହାରର ଗାଦି ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଲାଲୁ ଯାଦବ । ଏମିତି କି ଏହି ରାସ୍ତାରେ ଯିଏ ଯିଏ ଆସୁଛନ୍ତି, ତାଙ୍କ ପତ୍ତା କାଟିବାକୁ ଲାଲୁଙ୍କ ଗୋଟିଏ ମିନିଟ୍ ବି ସମୟ ଲାଗିନି । ଉଦାହରଣ ସ୍ୱରୂପ ଧରିଲେ, ଗତ ଲୋକସଭା ନିର୍ବାଚନ ସମୟରେ କହ୍ନୈୟା କୁମାରଙ୍କୁ ବିହାରରୁ ଲୋକସଭା ଟିକେଟ୍ ନ ଦେବା ପଛରେ ହିଁ, ଲାଲୁଙ୍କ ମାଇଣ୍ଡଗେମ୍ ଥିଲା ବୋଲି ଚର୍ଚ୍ଚା ହୁଏ । ତେଣୁ ଏଭଳି ସମୟରେ ତେଜସ୍ୱୀଙ୍କ ପାଇଁ ହିଁ ବଡ଼ ପୁଅ ତେଜପ୍ରତାପଙ୍କୁ ଲାଲୁ ବନବାସରେ ପଠାଇଥିବା ଚର୍ଚ୍ଚା ହେଉଛି ।
ଆପଣ ଭାବୁଥିବେ, ବିହାର ରାଜନୀତିରେ ତେଜସ୍ୱୀଙ୍କର ପୂର୍ବରୁ ହିଁ ଦବଦବା ରହିଛି । ଦଳରେ ମଧ୍ୟ ତାଙ୍କୁ ନେତା ଭାବେ ପରିଚୟ ମିଳିଛି । ଏମିତି କି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ, ତେଜସ୍ୱୀଙ୍କ ନେତୃତ୍ୱରେ ହିଁ ଦଳ ଆଗାମୀ ନିର୍ବାଚନ ଲଢ଼ିବ ବୋଲି କଥା ସରିଛି । ଆଉ ଏମିତି ଏକ ସମୟରେ କାହିଁକି ତେଜସ୍ୱୀଙ୍କ ପାଇଁ କଣ୍ଟା ହେବେ ତେଜପ୍ରତାପ? ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆରଜେଡିରେ ତେଜସ୍ୱୀଙ୍କ ସମର୍ଥକ ଭଳି, ତେଜପ୍ରତାପଙ୍କ ସମର୍ଥକଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ତେଣୁ କାଳେ ଆଗାମୀ ଦିନରେ ତେଜପ୍ରତାପ, ସାନ ଭାଇ ତେଜସ୍ୱୀ ପାଇଁ ଅଡୁଆ ହେବେ, ତେଣୁ ତାକୁ ଦେଖି ଲାଲୁଙ୍କର ଏ ନିଷ୍ପତ୍ତି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ।
କୁହାଯାଏ ବିହାର ରାଜନୀତିରେ ଯାହା ବି ଘଟେ, ତା'ର ପ୍ରଚ୍ଛଦପଟରେ ରହିଥାନ୍ତି ଲାଲୁ । ବିହାର ରାଜନୀତିରେ ପତ୍ରଟିଏ ହଲିଲେ ବି, ଲାଲୁ ହିଁ ଏହା ପଛରେ ଥାଆନ୍ତି ବୋଲି ଚର୍ଚ୍ଚା ହୁଏ । ଆଉ ଯେତେବେଳେ, ତାଙ୍କ ବଡ଼ ପୁଅକୁ ସେ ୬ ବର୍ଷ ପାଇଁ ଦଳରୁ ସସପେଣ୍ଡ୍ କରୁଛନ୍ତି, ତେଣୁ ଏହା ପଛରେ ନିହାତି ଭାବେ କିଛି ବଡ଼ ଚାଲ୍ ଥିବ ବୋଲି କୁହାଯାଉଛି । ଏମିତି କି, ଆଗାମୀ ଦିନରେ ଏହାର ରହସ୍ୟ ଖୋଲିବ ବୋଲି ମଧ୍ୟ କଥା ଉଠୁଛି ।
ଜାଣିରଖିବା ଉଚିତ୍ ଯେ, ଲାଲୁ ନନ୍ଦନ ତେଜପ୍ରତାପ ଯାଦବ ଶନିବାର ତାଙ୍କ ପ୍ରେମ ସମ୍ପର୍କ ନେଇ ଖୁଲାସା କରିଥିଲେ । ଫେସବୁକରେ ଜଣେ ଝିଅ ସହ ଫଟୋ ସେୟାର୍ କରି ସେ ତାଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କୁ କହିଥିଲେ । ଏହି ପୋଷ୍ଟରେ ସେ କହିଥିଲେ ଯେ, ସେ ୧୨ ବର୍ଷ ହେଲେ ରିଲେସନରେ ଅଛନ୍ତି, ଯାହାକୁ କି ସେ ବହୁତ ଦିନ ହେଲା ଲୋକଲୋଚନକୁ ଆଣିବାକୁ ଚାହୁଥିଲେ । ତେବେ ଏହି ପୋଷ୍ଟ କରିବା ପରେ, ସେ ଏହାକୁ ଡିଲିଟ୍ କରିଦେଇଥିଲେ ଏବଂ ଆଉ ପୁଣିଥରେ ସେହି କ୍ୟାପ୍ସନ ସହ ସେ ରିଲେସନସିପରେ ଅଛନ୍ତି ବୋଲି ପୋଷ୍ଟ କରିଥିଲେ । ଆଉ ପୁଣିଥରେ ପୋଷ୍ଟଟିକୁ ଡିଲିଟ୍ କରିଦେଇଥିଲେ ।
ଏହି ଘଟଣାକୁ ନେଇ ତେଜପ୍ରତାପଙ୍କ ବାପା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆକ୍ସନ ନେବା ସହିତ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ସସପେଣ୍ଡ୍ କରିଛନ୍ତି । ଏ ସମ୍ପର୍କରେ ଲାଲୁ କହିଥିଲେ ଯେ, "ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା, ସାମାଜିକ ନ୍ୟାୟ ପାଇଁ ଆମର ସାମୁହିକ ସଂଘର୍ଷକୁ ଦୁର୍ବଳ କରୁଛି । ବଡ଼ ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଏବଂ ଦାୟିତ୍ୱହୀନ ଆଚରଣ ଆମର ପାରିବାରିକ ମୂଲ୍ୟବୋଧ ଏବଂ ପରମ୍ପରା ଅନୁଯାୟୀ ନୁହେଁ । ତେଣୁ, ଉପରୋକ୍ତ ପରିସ୍ଥିତି ଯୋଗୁ, ମୁଁ ତାଙ୍କୁ ଦଳ ଏବଂ ପରିବାରରୁ ବାହାର କରୁଛି । ଏବେ ଠାରୁ, ଦଳ ଏବଂ ପରିବାରରେ ତାଙ୍କର କୌଣସି ପ୍ରକାରର ଭୂମିକା ରହିବ ନାହିଁ । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି ।"
ଏମିତି କି ବାପାଙ୍କର ଏହି ନିଷ୍ପତ୍ତିକୁ ତେଜସ୍ୱୀ ମଧ୍ୟ ସମର୍ଥନ କରିଛନ୍ତି । ତେଜସ୍ୱୀଙ୍କ କହିବା କଥା, ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ତେଜପ୍ରତାପ ସ୍ୱାଧୀନ । ହେଲେ ଅପରପକ୍ଷରେ ବାପାଙ୍କ ନିଷ୍ପତ୍ତିକୁ ମଧ୍ୟ ତେଜସ୍ୱୀ ସମର୍ଥନ କରିଛନ୍ତି । ତେଣୁ ଏ ସବୁ ଘଟଣାକ୍ରମ ଭିତରେ, ବିହାର ରାଜନୀତିରେ ଅନେକ ରାଜନୈତିକ ସମୀକରଣ ଏବେ ଜନ୍ମ ନେବାରେ ଲାଗିଛି । ତେଜପ୍ରତାପଙ୍କ ଏ ବନବାସ ପଛରେ ଲାଲୁଙ୍କର ଅସଲ ପ୍ଲାନ୍ କଣ? ତାକୁ ନେଇ ଏବେ ଆରମ୍ଭ ହୋଇଛି ଅସଲ ଚର୍ଚ୍ଚା ।