କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କୁ ନେଇ କଂଗ୍ରେସ ସଭାରେ ଅସଭ୍ୟ ଟିପ୍ପଣି ଉପରେ ବିହାରର ରାଜନୀତି ବେଶ୍ ସରଗରମ ହେଉଛି । ଏନେଇ ବିଜେପି କର୍ମୀମାନେ ଗାନ୍ଧୀ ମଇଦାନରେ ମୌନ ଧାରଣା ଦେଇଛନ୍ତି । ସେପଟେ ଦିଲ୍ଲୀରେ ବିଜେପି ବିଧାୟକ ରବିନ୍ଦ୍ର ସିଂ ନେଗି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବଙ୍କ ନାମରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିହାର କଂଗ୍ରେସର ପ୍ରବକ୍ତା କମଲେଶ କମଲ କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରାରେ ଜନସମାଗମ ଦେଖି ବିଜେପି ବିଚଳିତ ହୋଇଯାଇଛି । ନିଜେ ଏଭଳି କାଣ୍ଡ କରି କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା ଚଳାଇଛି ।
କଂଗ୍ରେସ କହିଛି କି, ଯେଉଁ ପ୍ରସଙ୍ଗକୁ ଆଧାର କରି ବିଜେପି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛି ସେ ପ୍ରସଙ୍ଗ ବିଜେପିର । ଯେଉଁ ଲୋକ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ ନେଇ ଅପଶବ୍ଦ କହିଥିଲେ ସେ ବିଜେପି କର୍ମୀ । ଏହାସହ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାରେ ବିଚଳିତ ହୋଇ ବିଜେପି ବିହାରରେ ହିନ୍ଦୁ ମୁସଲିମ୍ ଦଙ୍ଗା କରିବାକୁ ଷଡଯନ୍ତ୍ର କରୁଛି । ଏବେ ବିଜେପି ଓ ଆରଏସଏସର ଅସଲି ମୁଖା ବିହାରବାସୀଙ୍କ ସାମ୍ନାରେ ଖୋଲି ଯାଇଛି । ଏବେ ବିଜେପି ଉପରେ କେହି ବି ଭରସା କରିପାରୁନାହାଁନ୍ତି ।
ଆରଜେଡି ପ୍ରବକ୍ତା ଏଜାଜ ଅହମ୍ମଦ କହିଛନ୍ତି କି, ମୌନ ଧାରଣା ବିଜେପି ଆୟୋଜିତ କରୁଛି । ଯେଉଁଠି ଭାରତୀୟ ଜନତା ପାର୍ଟିର ନେତା ସବୁଠାରୁ ଅଧିକ ଗାଳିଗୁଲଜ କରିଥାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସଭା ମଞ୍ଚରୁ ଯେଭଳି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି ଦେଶ କେବେ ତାଙ୍କୁ କ୍ଷମା ଦେବନି । ଏବେ ନିଜେ ତିଆରି କରିଥିବା ଷଡଯନ୍ତ୍ରରେ ନିଜେ ଫସିବା ପରେ ପ୍ରଳାପ କରୁଛନ୍ତି ବିଜେପିର ନେତା ଓ କର୍ମୀ, ହେଲେ ବିଜେପି ବିହାରରେ ଯେଭଳି ପରିବେଶ ଖରାପ କରିବାକୁ ଚେଷ୍ଟା କରୁଛି ସେଥିରେ ସେ ସଫଳ ହେବେନାହିଁ । ଏହାସହ ବିଜେପି ବିଧାୟକ ଜନକ ସିଂ ତେଜସ୍ୱୀଙ୍କ ମାଆ ଓ ଭଉଣୀଙ୍କୁ ନେଇ ଯେଉଁ ଅପଶବ୍ଦ ବ୍ୟବହାର କରିଥିଲେ, ସେଥିପାଇଁ ବିଜେପି ଜନକଙ୍କୁ କାହିଁକି ଦଣ୍ଡିତ କଲାନାହିଁ ।
କେବଳ ସେତିକି ନୁହେଁ ଏଜାଜ ସିଧାସଳଖ ବିହାର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଜୟସ୍ୱାଲଙ୍କୁ ନେଇ କହିଛନ୍ତି କି, ଜୟସ୍ୱାଲ ସୋସିଆଲ ମିଡିଆରେ କହୁଛନ୍ତି ସେ ଗାଳି ଗୁଲଜର ଶବ୍ଦକୋଷ । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ସେ ଗାଳିଗୁଲଜ କରି ଉପମୁଖ୍ୟମନ୍ତ୍ରୀ ପଦରେ ପହଂଚିଛନ୍ତି ।
ଏହି ପ୍ରସଙ୍ଗରେ କଂଗ୍ରେସ, ଆରଜେଡି ଓ ବାମଦଳର ନେତାମାନେ ବିଜେପିକୁ ଟାର୍ଗେଟ୍ କରୁଥିବା ବେଳେ ବିଜେପି କିନ୍ତୁ ଏକ ପ୍ରକାର ମୌନ ରହିଛି । ହେଲେ ଏହି ମୌନ ରହିବା ଭିତରେ ବିଜେପି କି ରଣନୀତି ପ୍ରସ୍ତୁତ କରୁଛି ତାହା ଆଗାମୀ ଦିନରେ ଜଣାପଡିବ ।