କନକ ବ୍ୟୁରୋ : ପୁଣି ସାମନାକୁ ଆସିଲା ଜନନୀ ଯନ୍ତ୍ରଣାର ଦୃଶ୍ୟ। ଏକ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି। ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ନାଳ ଭିତରେ ଆଣ୍ଠୁଏ ପାଣିରେ ପ୍ରସୂତିଙ୍କୁ ଖଟିଆରେ ବୋହି ନେଇଛନ୍ତି ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବାଣୀଭୂଷଣପୁର ପଞ୍ଚାୟତର ଡିଗିସିରା ଗାଁରେ। ଗର୍ଭବତୀ ମହିଳା ଜଣକ ହେଲେ ରବୀନ୍ଦ୍ର ଜାନୀଙ୍କ ପତ୍ନୀ ରଞ୍ଜିତା । ପ୍ରସବ ଯନ୍ତ୍ରଣା ହେବା ପରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଆମ୍ବୁଲାନ୍ସ ଆସିଥିଲେ ସୁଦ୍ଧା ଗାଁକୁ ଯାଇ ପାରିନଥିଲା। କାରଣ ଆମ୍ବୁଲାନ୍ସ ଯିବା ବାଟରେ ବାଧକ ସାଜିଥିଲା ଲକ୍ଷ୍ମୀ ନାଳ। ପରେ ଆମ୍ବୁଲାନ୍ସ କର୍ମଚାରୀ ନାଳ ଡେଇଁ ଗାଁକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଖଟିଆରେ ବୋହିକି ଆଣିଥିଲେ। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ପୁରୁଣା କଟକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଅନେକ ଥର ଏମିତି ଘଟଣା ଯୋଗୁଁ ଅନେକ ମହିଳାଙ୍କ ଜୀବନ ଯାଇଛି । ଗାଁକୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ନିବେଦନ କରିଛନ୍ତି ଗ୍ରାମବାସୀ। ତଥାପି ପ୍ରଶାସନର ଚେତା ପଶୁନି।