କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ସମ୍ପତ୍ତି ପାଇଁ ଜ୍ୟୋତିରଞ୍ଜନ ମଠିଆଙ୍କୁ  ପୋଡ଼ି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ବାପା ସୁରେନ୍ଦ୍ରନାଥ ମଠିଆ, ମାଆ ପ୍ରଭାତୀ ମଠିଆ ଓ ସାନ ଭାଇ ପ୍ରଶାନ୍ତ ମଠିଆଙ୍କୁ ଗିରଫ କରିଛି ପୁଲିସ । ଜମି ବିବାଦ ପାଇଁ ଜ୍ୟୋତିକୁ ତାଙ୍କ ପରିବାର ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିପାଟଣା ଥାନା ପୁଲିସ । ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣାଯିବ । ଅଭିଯୁକ୍ତଙ୍କ ବିରୁଦ୍ଧରେ BNS ଦଫା 118(2), 109, 103/3(5) ରେ ମାମଲା ରୁଜୁ ହୋଇଛି । ମୃତକଙ୍କ ମୃତ୍ୟୁକାଳୀନ ବୟାନ ରେକର୍ଡ କରାଯାଇଛି । ଦୀର୍ଘ ବର୍ଷର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି  । 

Advertisment

ସେପଟେ ମୃତ ଜ୍ୟୋତିଙ୍କ ସ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଜମିବାଡ଼ି ଓ ସମ୍ପତ୍ତି ପାଇଁ ବାପା, ସାବତ ମା ଓ ଭାଇ ମାରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । ପୂର୍ବରୁ ମାରପିଟ ଘଟଣା ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସ୍ତ୍ରୀଙ୍କ ମୁଣ୍ଡ ଫଟାଇ ଦେଇଥିଲେ ସାବତ ମା’। କିନ୍ତୁ ଅଭିଯୋଗ ପରେ ବି ହୋଇନଥିଲା କାର୍ଯ୍ୟାନୁଷ୍ଠାନ । ନିଜ ଘରେ ରହିବାକୁ  ଭଡ଼ାଟିଆ ଭଳି ଭଡ଼ା ଦେଉଥିଲେ ମୃତ ଜ୍ୟୋତିରଞ୍ଜନ । ଏନେଇ ଖୁଲାସା କରିଛନ୍ତି ପତ୍ନୀ ବିଜୟଲକ୍ଷ୍ମୀ । କେବଳ ସେତିକି ନୁହଁ ଭଡ଼ା ସାଙ୍ଗକୁ ଦେଉଥିଲେ ବାପାଙ୍କ ପ୍ରତିପୋଷଣର ଖର୍ଚ୍ଚ  ବୋଲି କହିଛନ୍ତି ମୃତକଙ୍କ ସ୍ତ୍ରୀ ।