25 trump Photograph: (25 trump)
କନକ ବ୍ୟୁରୋ :ଆମେରିକା ୱାସିଂଟନ ଡିସିରେ ଏକ ବଡ଼ ବିମାନ ଦୁର୍ଘଟଣାରେ ୩୦ ଜଣଙ୍କ ଜୀବନ ଯାଇଛି। ଗୁରୁବାର ହ୍ବାଇଟ୍ ହାଉସ୍ରୁ ମାତ୍ର ୫ କିଲୋମିଟର ଦୂରରେ ମଝି ଆକାଶରେ ପାସେଞ୍ଜର ବିମାନକୁ ଧକ୍କା ଦେଇଛି ଆର୍ମି ହେଲିକପ୍ଟର। ଧକ୍କା ପରେ ଉଭୟ ହେଲିକପ୍ଟର ଓ ବିମାନ ପୋଟୋମାକ୍ ନଦୀକୁ ଖସି ପଡିଛି। ବ୍ୟବସାୟିକ ବିମାନ ଲ୍ୟାଣ୍ଡିଂ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାମ୍ନାକୁ ଆସୁଥିବା ଆର୍ମି ହେଲିକପ୍ଟର ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ବିମାନରେ ମୋଟ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରିୟୁ ସଦସ୍ୟ ଥିଲେ। ତେବେ କାହିଁକି ସେନା ହେଲିକପ୍ଟର ନିଜର ଗତିପଥ ବଦଳାଇଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।
କାହିଁକି ଗତିପଥ ବଦଳାଇଲାନି ହେଲିକପ୍ଟର?
ପ୍ରଶ୍ନ ଉଠାଇଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆର୍ମି ହେଲିକପ୍ଟର ଗତିପଥ ଉପରେ ପ୍ରଶ୍ନ ଉଠାଇଛନ୍ତି । ଟ୍ରମ୍ପ କହିଛନ୍ତି, ବିମାନଟି ଅବତରଣ ପାଇଁ ସଠିକ୍ ରୁଟରେ ଯାଉଥିଲା କିନ୍ତୁ ହେଲିକେପ୍ଟରଟି ନିୟମ ଉଲଙ୍ଘନ କରି ସେହି ଲାଇନରେ ଯିବାରୁ ଦୁର୍ଘଟଣା ଘଟିଥିଲା। ବିମାନର ଲାଇଟ ଜଳୁଥିଲେ ମଧ୍ୟ କିପରି ହେଲିକପ୍ଟର ପାଇଲଟ ଏହାକୁ ଦେଖି ପାରିଲେ ନାହିଁ? କାହିଁକି କାହିଁକି ହେଲିକପ୍ଟରଟି ଉପରକୁ, ତଳକୁ କିମ୍ବା ଟର୍ଣ୍ଣ କଲା ନାହିଁ? କଣ୍ଟ୍ରୋଲ ଟାୱାର କ’ଣ କରାଯିବ ନ କହି କାହିଁକି ହେଲିକପ୍ଟର ପାଇଲଟଙ୍କୁ ବିମାନ ଦେଖାଯାଉଛି କି ନାହିଁ ପ୍ରଶ୍ନ କରିଥିଲେ । ସବୁ କିଛିକୁ ଦେଖିଲେ ଲାଗୁଛି ଯେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା।
୩୦ ସେକେଣ୍ଡ ପୂର୍ବରୁ ରେଗାନ ନ୍ୟାସନାଲ ଏୟାରପୋର୍ଟର ଏୟାର ଟ୍ରାଫିକ୍ କଂଟ୍ରୋଲର ଆର୍ମି ହେଲିକପ୍ଟରକୁ କଲ କରିଥିଲେ। କିନ୍ତୁ ସେପଟୁ କୌଣସି ଯବାବ ଆସିନଥିଲା। ଏହାର କିଛି ସମୟ ପରେ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ପରେ ବିମାନର ବ୍ଳାକ ବକ୍ସ ଯବତ କରାଯାଇଛି। ଯେଉଁଥିରୁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି।
Follow Us