କନକ ବ୍ୟୁରୋ : ଦେଶର ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ତାଲିକାରେ ଗଞ୍ଜାମ । ଏ ହେଉଛି ବ୍ରହ୍ମପୁର ସହରର ଦୃଶ୍ୟ । ରାସ୍ତାରେ ଯାଉଥିବା ବାଇକ ଆରୋହୀ ଯେମିତି ହେଲମେଟ୍ ପିନ୍ଧିବାକୁ ଚାହୁନାହାନ୍ତି । ଟ୍ରାଫିକ ପୁଲିସ ସାମ୍ନାରେ ବିନା ହେଲମେଟ୍ରେ ଲୋକେ ଗାଡ଼ି ଗଡାଉଥିଲେ ବି ଯେମିତି ସମସ୍ତେ ନାଚାର ପାଲଟିଛନ୍ତି । ସର୍ବାଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ତାଲିକାରେ ଗଞ୍ଜାମ ଦେଶର ୯୦ ତମ ସ୍ଥାନରେ ରହିଥିଲା ବେଳେ କେବଳ ୨୦୨୪ରେ ରାସ୍ତାରେ ଯାଇଛି ୩୯୨ ଜୀବନ । ୮୨୦ଟି ଦୁର୍ଘଟଣା ହୋଇ ୭ଶହରୁ ଅଧିକ ଗୁରୁତର ହୋଇଥିବା ସରକାରୀ ରିପୋର୍ଟ କହୁଛି । ସେହିପରି ସ୍କୁଲ, କଲେଜ ପିଲାଙ୍କ ହାତରେ ବାଇକ, ସ୍କୁଟି ଧରାଇଦେଇ ଅଭିଭାବକ କେତେ ବେପରୁଆ ତାର ଚିତ୍ର ବି ଦେଖିବାକୁ ମିଳୁଛି ବ୍ରହ୍ମପୁରରେ ।
ସେପଟେ ନିଜ କର୍ମଚାରୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ କରିଛି ବ୍ରହ୍ମପୁର ମହାନଗର ନିଗମ । ହେଲମେଟ ନ ପିନ୍ଧିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କମିଶନର। ଚାଲାଣ ତା ବାଟରେ କଟୁଛି, ହେଲେ ଲୋକେ ବେଫିକର । ସତେ ଯେମିତି ନା ଆଇନକୁ ଭୟ ଅଛି ନା ନିଜ ଜୀବନ ପ୍ରତି ଲୋଭ ।
Follow Us