କନକ ବ୍ୟୁରୋ: ପୃଥିବୀର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଲାଣି । ତଥାପି ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରତି ୬ ଜଣରେ ଜଣେ ଏକୁଟିଆପଣ ପାଇଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀରେ କାହା ପାଖରେ କାହା ପାଇଁ ସମୟ ନାହିଁ । ସକାଳୁ ଉଠି ରାତି ପର୍ଯ୍ୟନ୍ତ ସମସ୍ତେ କେବଳ ଧାଉଁଛନ୍ତି । ପରସ୍ପରକୁ ଟପିବାର ପ୍ରତିଯୋଗିତାରେ ପରସ୍ପରକୁ ହିଁ ଭୁଲି ଯାଉଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ପ୍ରକାଶ ପାଇଥିବା ରିପୋର୍ଟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।  

Advertisment
  • ପ୍ରତି ୬ଜଣରେ ଜଣେ ଭୋଗୁଛନ୍ତି ସମସ୍ୟା
  • ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତାବ୍ୟକ୍ତ

୮୦୦ କୋଟି ଟପିଲାଣି ବିଶ୍ବ ଜନସଂଖ୍ୟା, ତଥାପି କିଛି ମଣିଷ ଆଜି ଏକୁଟିଆ। ଘରଠୁ ନେଇ ରାସ୍ତାଘାଟ, ଅଫିସ, ସାଙ୍ଗସାଥିଙ୍କ ସହ ଖଟି ପରେ ବି କିଛି ମଣିଷ ଆଜି ନିଃସ୍ୱ । ଏକଥା ଆମେ କହୁନୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ତଥ୍ୟ । ରିପୋର୍ଟ ଅନୁଯାୟୀ ଏକ ଘଣ୍ଟାରେ ୧୦୦ ଜଣଙ୍କ ଜୀବନ ନେଉଛି ଏହି ଲୋନ୍‌ଲିନେସ୍ ବା ଏକୁଟିଆପଣ । ଏହି ସମସ୍ୟା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । ବିଶେଷ କରି ଯୁବବର୍ଗ ଏବଂ ନିମ୍ନ ମଧ୍ୟମ ଆୟ ଦେଶରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳେ । ୩ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ଏବଂ ୪ ଜଣ କିଶୋରଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଛି ଏକୁଟିଆପଣ । ୧୩ରୁ ୨୯ ବର୍ଷ ବୟସର ପ୍ରାୟ ୧୭ ପ୍ରତିଶତରୁ ୨୧ ପ୍ରତିଶତ ଲୋକ ଏକୁଟିଆ ଅନୁଭବ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କିଶୋରଙ୍କ ମଧ୍ୟରେ ଏହି ହାର ସର୍ବାଧିକ ରହିଛି। 

କମ୍ ଆୟ କରୁଥିବା ଦେଶରେ ପ୍ରାୟ ୨୪ ପ୍ରତିଶତ ଲୋକ ଏକୁଟିଆ ଅନୁଭବ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧାନୋମ ଗେବ୍ରେୟସସ୍ କହିଛନ୍ତି, ଏହି ଯୁଗରେ ଯେତେବେଳେ ସଂପର୍କ ରଖିବାର ଅଧିକ ସୁଯୋଗ ରହିଛି, ଲୋକେ ନିଜକୁ ଅଧିକ ଏକୁଟିଆମନେ କରୁଛନ୍ତି । ଡିଜିଟାଲ ଭାବେ ସଂଯୁକ୍ତ ଦୁନିଆରେ ମଧ୍ୟ ଅନେକ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି । ପ୍ରଯୁକ୍ତି ଆମକୁ ନୂଆ ରୂପ ଦେଉଛି ସତ, କିନ୍ତୁ ଏହା ମାନବର ଏକାକୀପଣ ଦୂର କରିପାରିନାହିଁ । ଏକା ଅନୁଭବ ହେବାର ଏକ ପ୍ରମୁଖ କାରଣ ହେଉଛି, ଡିଜିଟାଲ ସ୍କ୍ରିନ୍ । ଅଧିକ ସମୟ ମୋବାଇଲ କିମ୍ବା କମ୍ପ୍ୟୁଟରରେ ବିତାଇବା ଦ୍ୱାରା ବ୍ୟକ୍ତି ମାନସିକ ଭାବେ ଦୁର୍ବଳ ହୋଇଯାଇଥାଏ ବୋଲି ମନୋବିଜ୍ଞାନୀମାନେ କହିଛନ୍ତି ।  

ଆଧୁନିକତାର ଛାପ ସହ ଆସ୍ତେ ଆସ୍ତେ ମଣିଷ ସମାଜକୁ ଗ୍ରାସ କରିସାରିଲାଣି ଏକୁଟିଆପଣ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟର ଘୋର୍ ଅଭାବ ଏହାର ମୁଖ୍ୟ କାରଣ ପାଲଟିଛି । ଏପରି ପରିସ୍ଥିତିରେ ସମସ୍ତେ ପରସ୍ପରର ସହଯୋଗ କରିବା ନିହାତି ଆବଶ୍ୟକ ।  ମିଳିମିଶି ରହିବା ଦ୍ୱାରା ଏହି ମାନସିକ ରୋଗକୁ ମାତ୍ ଦେବା ସମ୍ଭବ ।