କନକ ବ୍ୟୁରୋ : ପୁଣି ୫ ଦିନ ରିମାଣ୍ଡରେ ଯିବେ ଲାଞ୍ଚୁଆ ସରକାରୀ ବାବୁ ଓ ଠିକାଦାର । ସିବିଆଇ ଗିରଫ ଘଟଣାରେ ଆଜି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେବାର ଥିଲା । ହେଲେ ସିିବିଆଇର ଅନୁରୋଧ କ୍ରମେ କୋର୍ଟ ରିମାଣ୍ଡ ଅବଧି ୫ ଦିନ ବୃଦ୍ଧି କରିଛନ୍ତି । ଏବେ ପୁଣି ୫ ଦିନ ପର୍ଯ୍ୟନ୍ତ ସିବିଆଇ ୩ ଅଭିଯୁକ୍ତଙ୍କୁ ଜେରା କରିବ । ସିବିଆଇର ଯୁକ୍ତି ଥିଲା କି, ଏହି ମାମଲାରେ ରାଜନୈତିକ ଲିଙ୍କ୍ ରହିଛି କି ନାହିଁ ତଦନ୍ତ କରିବାକୁ ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲା । ସେପଟେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସ୍ପେଶାଲ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସ୍ପେଶାଲ କୋର୍ଟ । କହିରଖୁ କି କିଛିଦିନ ତଳେ ଏକ ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏକ ଟେଣ୍ଡର ମାମଲାରେ ଲାଂଚ କାରବାର ହେଉଥିବା ଖବର ପାଇଁ ରାଜ୍ୟ ବାହାରର ସିବିଆଇ ରାଜଧାନୀର ଏକ ହୋଟେଲ ସାମ୍ନାରୁ କାର ସହ ନଗଦ ଟଙ୍କା ଜବତ କରିଥିଲା ।