କନକ ବ୍ୟୁରୋ: ୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ । ଏହି ବର୍ଷ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ୩ ଥର ଟଙ୍କା ମିଳିବ। ତେବେ କେଉଁମାନେ କେତେଥର ସୁଭଦ୍ରା ଟଙ୍କା ପାଇବେ, ସେନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ ସୂଚନା ଦେଇଛନ୍ତି।

Advertisment
  • ୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା
  • ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଅର୍ଥ

ନୂଆବର୍ଷ ପୂର୍ବରୁ ମହିଳାଙ୍କୁ ବଡ ଆଶା ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଜାନୁୟାରୀରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ମାର୍ଚ୍ଚ ୮ ମହିଳା ଦିବସ ଓ ପରେ ରକ୍ଷାବନ୍ଧନ ଅସରରରେ ଦ୍ବିତୀୟ କିସ୍ତି ଟଙ୍କା ମିଳିବ । ୨୦୨୫ରେ ତିନିଥର ସୁଭଦ୍ରା ଯୋଜନା ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ୨୦୨୫ ସୁଭଦ୍ରା ଯୋଜନାର ବର୍ଷ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ତେବେ ପ୍ରଥମ କିସ୍ତିର ଚର୍ତୁର୍ଥ ପର୍ଯ୍ୟାୟରେ ଟଙ୍କା ପାଇବାକୁ ଏବେ ବି ପ୍ରାୟ ୨୦ଲକ୍ଷ ମହିଳା ଅପେକ୍ଷା କରି ରହିଛନ୍ତି। କିନ୍ତୁ କେତେ ମହିଳାଙ୍କୁ ଟଙ୍କା ମିଳିବ ସେ ନେଇ ଗଣମାଧ୍ୟମର ପ୍ରଶ୍ନରେ, ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଜାନୁଆରୀ ପ୍ରଥମ ସପ୍ତାହରେ ସର୍ଭେ ସରିବ। ତଥ୍ୟ ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯିବ। ଗ୍ରାଉଣ୍ଡରେ ଅସଲ ସତ କଣ, ସର୍ଭେରୁ ତାହା ସ୍ପଷ୍ଟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ ସମୟ ନିଆଯାଇଛି। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନହେବେ,  ତା ଉପରେ ସରକାର ଗୁରୁତ୍ହ ଦେଉଛନ୍ତି। 

୨୦୨୪ରେ ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଏପର୍ଯ୍ୟନ୍ତ ତିନି ପର୍ଯ୍ୟାୟରେ ୮୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି। ବିଭିନ୍ନ ସ୍ଥାନରୁ ଆବେଦନରେ ତ୍ରୁଟି ଓ ବିଭିନ୍ନ ଅଭିଯୋଗ ଆସୁଥିବାରୁ ସତ ଜାଣିବା ପାଇଁ ସର୍ଭେ ଚାଲିଛି ଓ ତ୍ରୁଟି ସୁଧାରିବାକୁ ସମ୍ପୃକ୍ତ କର୍ମଚାରୀ ସହଯୋଗ କରୁଛନ୍ତି ।