କନକ ନ୍ୟୁଜ୍‌ : ୫୫ ବର୍ଷ ଧରି ଶ୍ରୀଜିଉଙ୍କ ସେବା କରି ଆସୁଛନ୍ତି ଗଜପତି ମହାରାଜ  ଦିବ୍ୟସିଂହ ଦେବ । କନକ ନ୍ୟୁଜକୁ ସାକ୍ଷାତକାରରେ ବଖାଣିଲେ ଅନେକ ଅନୁଭୂତି । କହିଲେ , “ ୧୭ ବର୍ଷ ବୟସରେ ମୁଁ ଗାଦିରେ ବସିଥିଲି , ସେ ସମୟରେ ପରିସ୍ଥିତି ଭିନ୍ନ ଥିଲା । ଆମେ ଭାଇ ଭଉଣୀ ୭ ଜଣ ଥିଲୁ । ସେତେବେଳେ ଏତେ ସୁବିଧା ସହଯୋଗ ନଥିଲା , ମହାପ୍ରଭୁଙ୍କ କୃପାରୁ ଆମର ବ୍ରତ କାର୍ଯ୍ୟ ହେଲା ଏହା ପରେ ମହାପ୍ରଭୁଙ୍କ ସେବା କଲୁ । "

Advertisment

୧୯୭୨ ମସିହାରେ ଘଟିଥିଲା ଅଲୌକିକ କଥା । ଯେଉଁ ସ୍ମୃତିକୁ କହିଛନ୍ତି ମହାରାଜ । ସେ କହିଛନ୍ତି , " ସେତେବେଳେ  ରଥଯାତ୍ରା ସମୟ , ଆମେ ବାଲକୋନିରେ ଛିଡା ହୋଇ ରଥଯାତ୍ରା ଦେଖୁଥାଉ । ସେତେବେଳେ ଟିଭି ମଧ୍ୟ ନଥିଲା । ଆମେ ଦେଖଲୁ ଯେ ମହାପ୍ରଭୁଙ୍କୁ ସେବାୟତମାନେ ରଥକୁ ନେବା ସମୟରେ ପ୍ରଭୁ ଉଠୁଥାଆନ୍ତି , ପୁଣି ତଳକୁ ଖସୁ ଥାଆନ୍ତି , ଏହିପରି ବାରମ୍ବାର କରୁଥାଆନ୍ତି । ସେ ତ ପ୍ରତ୍ୟେକ ଥର ଏମିତି ଆଳ କରନ୍ତି କାରଣ ସେ ନଟିଆ ଗୋପାଳ । ହେଲେ ସେ ଥର ସେବାୟତମାନେ ଥକ୍କି ପଡ଼ିଲେ କିନ୍ତୁ ମହାପ୍ରଭୁଙ୍କୁ ଉଠାଇ ପାରିଲେ ନାହିଁ । ସେତେବେଳର ମନ୍ଦିର ପ୍ରଶାସକ ଆସି ଆମ ପାଖରେ କାନ୍ଦିଲେ । କହିଲେ , ମହାପ୍ରଭୁ କାହିଁକି ଉଠୁନାହାନ୍ତି , ଆପଣ ଆମ ସହ ଚାଲନ୍ତୁ । ପରମ୍ପରା ଅନୁସାରେ ସେ ସମୟରେ ଯିବାର ନଥିଲା କିନ୍ତୁ ଯିବାକୁ ପଡ଼ିଲା । ସେଥିପାଇଁ ସଙ୍ଗେ ସଙ୍ଗେ ଆମେ ଯାଇ ପହଞ୍ଚିଲୁ । ସେତବେଳକୁ ସେବାୟତମାନେ କ୍ଲାନ୍ତ ଆଉ ଖଣ୍ଡିଆ ଖାବରା ହୋଇଯାଇ ଥାଆନ୍ତି । ମହାପ୍ରଭୁଙ୍କ ପଛପଟେ ରହି ଆମେ ପାର୍ଥନା କଲୁ । ଏହା ପରେ ସେବାୟତମାନେ ମହାପ୍ରଭୁଙ୍କୁ ଉଠାଇଲେ ଏବଂ ସେ ସଙ୍ଗେ ସଙ୍ଗେ ଉଠିଗଲେ । କ’ଣ ପାଇଁ ଏମିତି ହେଲା ତା’ର କାରଣ ଆଜି ପର୍ଯ୍ୟନ୍ତ ମୁଁ ଜାଣି ପାରିନି । ମହାପ୍ରଭୁ ତାଙ୍କ ଲୀଳା ଦେଖାଇଲେ । "