କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ଆସନ ବୁଝାମଣା ପାଇଁ ଆରଜେଡି ଓ କଂଗ୍ରେସ ମଧ୍ୟରେ ଆଲୋଚନା । ଏହି ସର୍ମ୍ପକରେ ଆରଜେଡି ନେତା ତେଜସ୍ବୀ ଯାଦବ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି ତେବେ ଆଜିର ଆଲୋଚନା ମୁଖ୍ୟତଃ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଆଲୋଚନା ହୋଇଥିଲା ।ଏହା ସହିତ ଆସନ ଭାଗବଣ୍ଟା ଉପରେ ମଧ୍ୟ ଚର୍ଚ୍ଚା କରାଯାଇଛି । ଏହି ଦୁଇ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ଆରଜେଡି ମଧ୍ୟରେ ମତଭେଦ ଥିଲେ ମଧ୍ୟ ଆରଜେଡି ନେତା ତେଜସ୍ବୀ ଯାଦବ ଏହାକୁ ଏଡାଇବାକୁ ଚେଷ୍ଟା କରିଛନ୍ତି ।
ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟ ଆସନ ବୁଝାମଣା ଭିତ୍ତିରେ ୭୦ଆସନରେ ଲଢ଼ିଥିଲା । ମାତ୍ର ୧୯ ଆସନ ଜିତିପାରିଥିଲା । ଯାହା ଫଳରେ ମହାଗଠବନ୍ଧନ ସରକାର ଗଠନରେ ଫେଲ୍ ମାରିଥିଲା ବୋଲି ଆରଜେଡି ଅଭିଯୋଗ କରିଥିଲା । ମାତ୍ର ଦଶନ୍ଧୀ ଧରି ଆରଜେଡି କିମ୍ବା କଂଗ୍ରେସ ଜିତିପାରୁନଥିବା ଆସନ କଂଗ୍ରେସକୁ ଦିଆଯାଇଥିଲା ବୋଲି ଦଳ ସଫେଇ ରଖିଥିଲା । ଏହି ଆଧାରରେ ଆଗାମୀ ନିର୍ବାଚନରେ ଜିତିବା ସମ୍ଭାବନା ଥିବା ଆସନ ପାଇବାକୁ ବିଭିନ୍ନ ପ୍ରକାରରେ କଂଗ୍ରେସ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି । ଦଳୀୟ ନେତା କହ୍ନେୟା କୁମାରଙ୍କ ପଳାୟନ ରୋକ ରୋଜଗାର ଦୋ ଯାତ୍ରାକୁ ଏହି ପରିପେକ୍ଷରେ ଦେଖାଯାଇପାରେ ।
ଆଜି ଆଉ ଏକ ଘଟଣାକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି ପରାସଙ୍କ ଦଳ ଏନଡିଏଠୁ ସମ୍ପର୍କ ଭାଙ୍ଗିଛି । ଏହା ସହିତ ମହାଗଠବନ୍ଧନରେ ତାଙ୍କର ସାମିଲ ସମ୍ଭାବନା ବଢ଼ିଛି । ଅନ୍ୟପକ୍ଷରେ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଜନସ୍ବରାଜ ଦଳକୁ ମହାଗଠବନ୍ଧନରେ ସାମିଲ କରିବାକୁ କଂଗ୍ରେସ ଚାହୁଁଛି । ଏସବୁ ଦୃଷ୍ଟିରୁ ରଖି କଂଗ୍ରେସ ଏବେଠାରୁ ତେଜସ୍ବୀ ଯାଦବଙ୍କକୁ ମନେଇବା ପାଇଁ ଚେଷ୍ଟା କରୁଛି । ତେଣୁ ଏପ୍ରିଲ ୧୭ରେ ଦୁଇଦଳର ପରବର୍ତ୍ତୀ ବେହଠକ ଗୁରୁତ୍ବପୂର୍ଣ୍ଣ ହୋଇପାରେ ।