କନକବ୍ୟୁରୋ : ଦେଓମାଳିର ସୌନ୍ଦର୍ଯ୍ୟ ଓ ପରିବେଶ ଉପରେ ଦିଆଯିବ ଗୁରୁତ୍ବ । ନୋଟିସ ଜାରି ପରେ ଲାଗିଛି କଟକଣା । ରାତିରେ କେହି ରହି ପାରିବେନି ଦେଓମାଳିରେ । ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଦେଓମାଳିରେ ରହିବାକୁ ଅନୁମତି ନାହିଁ।
କେହି ଯଦି ନିୟମର ପାଳନ ନ କରିବେ ତେବେ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନୋଟିସରେ ଉଲ୍ଳେଖ କରାଯାଇଛି । କୋରାପୁଟ ଜିଲ୍ଳାପାଳ ନିଜର ଏକ ସ୍ୱତନ୍ତ୍ର ଟିମ ସହ ଦେଓମାଳିକୁ ପରିଦର୍ଶନ କରିବା ସହିତ ଏକ ନୋଟିସ ଜାରି କରିଛନ୍ତି ।
ଅଗାମୀ ୬୦ ଦିନ ପର୍ଯ୍ୟନ୍ତ କଟକଣା ହୋଇଛି । ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା ଦ୍ୱାରା ବୁକିଂ କରିଥିଲେ ସେମାନେ ରହିବାକୁ ମିଳିବ ଅନୁମତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦେଓମାଳି । ପ୍ରତିଦିନ ପର୍ଯ୍ୟଟକଙ୍କଠାରୁ ନେଇ ଫିଲ୍ମ ନିର୍ମାତାଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ସ୍ଥାନ । କିଛି ଦିନ ପୂର୍ବରୁ ଫିଲ୍ମ ନିର୍ମାତା ରାଜା ମୌଲି ଏହି ସ୍ଥାନର ପ୍ରଶଂସା କରିବା ସହ ଆବର୍ଜନା ଜମିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।
ଦିନକୁ ଦିନ ଦେଓମାଳି ଓ ଏହାର ଆଖପାଖରେ କୁଢ କୁଢ ଆବର୍ଜନା ପଡୁଥିବାରୁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ତେବେ ଏହି ସବୁ ଘଟଣା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମସ୍ତଙ୍କ ମିଳିତ ସହଯୋଗରେ ଦେଓମାଳିର ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରହିବ ପର୍ଯ୍ୟଟକଙ୍କଠାରୁ ନେଇ ସିନମୋ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିବ ଏବେ ଦେଓମାଳି ।