କନକ ବ୍ୟୁରୋ : ଛାଡିଛି ବର୍ଷା ବଢିଛି ଲୋକଙ୍କ ଦୁର୍ଦ୍ଦଶା । ନୀଳଗିରି ଶେରଗଡ ଛକରେ ବେହାଲ ହୋଇଛି ଲୋକଙ୍କ ଜନଜୀବନ । ୧୫ ରୁ ଉର୍ଦ୍ଧ ଦୋକାନ ଭିତରେ ଆଣ୍ଠୁଏ ଉଚ୍ଚର ପାଣି । ଆଉ ତାହା ଭିତରେ ଚାଲିଛି ପେଟପାଟଣା ପାଇଁ ସଂଘର୍ଷ । ଶୋଇଛି ପ୍ରଶାସନ, ନେତାଙ୍କର ନାହିଁ ଦେଖାଦର୍ଶନ । ଜଳଯନ୍ତ୍ରଣା ମଧ୍ୟରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭିତରେ ଦୋକାନ ଭିତରୁ ନିଜସ୍ବ ଉଦ୍ୟମରେ ପାଣି ବାହାର କରିଛନ୍ତି ଦୋକାନୀ ।
ସେପଟେ ଲଗାଣ ବର୍ଷାରେ ପାହାଡ଼ରୁ ଧସିଲା ପଥର। ଅନୁଗୋଳ ଛେଣ୍ଡିପଦା ବ୍ଲକ୍ ପାତ୍ରପଡା ଦେବୀନଗର ପାହାଡ଼ରୁ ମାଟି ଅତଡା ଖସି ପାତ୍ରପଡା-ହଣ୍ଡପା ରାସ୍ତା ଅବରୋଧ ହୋଇଛି । ଫଳରେ ଏହି ରାସ୍ତାରେ ଯାତାୟତ ଠପ୍ ହୋଇଛି । ପାତ୍ରପଡାରୁ ହଣ୍ଡପା ରାସ୍ତା ଛେଣ୍ଡିପଦା ବ୍ଲକରୁ କିଶୋରନଗର ଓ ଆଠମଲ୍ଲିକ ଅଞ୍ଚଳକୁ ସର୍ବନିମ୍ନ ଦୂରତ୍ୱ ଓ ସଂଯୋଗୀ ରାସ୍ତା । ଗତ ତିନିଦିନ ଧରି ଲଗାଣ ବର୍ଷାରେ ପାତ୍ରପଡା ମାବାୟାଣୀ ପୀଠରୁ ୧୦୦ ମିଟର ଆଗରେ ଦେବୀନଗର ପାହାଡ଼ ମାଟି ଅତଡା ଖସି ରାସ୍ତା ଉପରେ ୫ ଫୁଟ ଉଚ୍ଚର ମାଟି ଜମା ହୋଇରହିଛି । ତୁରନ୍ତ ରାସ୍ତାରୁ ମାଟି ବାହାର କରି ମରାମତି କରିବା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
ବର୍ଷାରେ ଧସିଲା ବିରଜା ରିଙ୍ଗରୋଡ଼ । ଯାଜପୁର ପୌରପାଳିକାର ସାନବଜାର ନିକଟରେ ବର୍ଷା ଯୋଗୁଁ ଧସିଲା ବୈତରଣୀ ନଦୀ ବନ୍ଧରେ ନିର୍ମିତ ମୁଖ୍ୟ ରାସ୍ତା ତଳୁ ଅତଡା । ଯାଜପୁର-ମଙ୍ଗଳପୁର ମୁଖ୍ୟରାସ୍ତାର ସାନବଜାର ନିକଟରେ ବିରଜା ରିଂରୋଡ ଫୁତଫାତ୍ ରାସ୍ତାଟି ଧସି ଯାଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତାଟି ଯାଜପୁର ମଙ୍ଗଳପୁରର ମୁଖ୍ୟରାସ୍ତା ହୋଇଥିବା ବେଳେ ଏହି ରାସ୍ତା ଦେଇ ୧୧କେ.ଭି ବିଦ୍ୟୁତ୍ ଖୁଣ୍ଟ ଗଳି ପଡିବାର ବହୁତ ସମ୍ଭାବନା ରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କର ମାହୋଲ ଦେଖିବାକୁ ମିଳିଛି ।