କନକ ବ୍ୟୁରୋ : ଦାନା ପାଣି ମାରିଦେଲା ବାତ୍ୟା ଦାନା । ଏବେ ଚିନ୍ତାର ମାଟି କାରିଗର । ଗତକାଲିଠୁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ମୃର୍ତ୍ତିକା-୨୦୨୪ । ୨୬ରୁ ୩୦ ତାରିଖ ଯାଏଁ ଚାଲିବ ଏହି ଟେରାକୋଟା ପ୍ରଦର୍ଶନୀ । ମାଟି କାମ କରୁଥିବା କାରିଗରଙ୍କୁ ରୋଜଗାର ଯୋଗାଇବା ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ମେଳା କରାଯାଏ । ପ୍ରତିବର୍ଷ ଦୀପାବଳି ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଏହି ମେଳାର ଆୟୋଜନ କରାଯାଏ । ରାଜ୍ୟର କୋଣ ଅନୁକୋଣରୁ ଅନେକ କାରିଗର ଓ ବ୍ୟବସାୟୀ ନିଜ ହସ୍ତଶିଳ୍ପ ସାମଗ୍ରୀ ନେଇ ଭୁବନେଶ୍ଵର ଆସି ଏଠାରେ ବ୍ୟବସାୟ କରିଥାନ୍ତି । ନିଜର ପରିବାର ଚଳାଇବା ପାଇଁ ଏହା ସେମାନଙ୍କର ମୁଖ୍ୟ ବ୍ୟବସାୟ , ହେଲେ ଚଳିତ ବର୍ଷ ବ୍ୟବସାୟୀଙ୍କୁ ଚିନ୍ତା ଘାରିଛି ।
୨୨ ତାରିଖରୁ ୨୯ ତାରିଖ ଯାଏଁ ହେବାକୁ ଥିବା ଏହି ମେଳା ବାତ୍ୟା ପାଇଁ ୨୬ ରୁ ୩୦ ଯାଏଁ ଘୁଞ୍ଚେଇ ଦିଆଗଲା । ସେଥିପାଇଁ କାରିଗରମାନେ ବ୍ୟବସାୟ କେମିତି ହେବ ସେଥିପାଇଁ ଚିନ୍ତାରେ ପଡିଛନ୍ତି । ଏହି ପ୍ରଦର୍ଶନୀରେ ପ୍ରାୟ ୩୦୦ ଷ୍ଟଲ ଲାଗିଛି । ଆଗକୁ ଆଲୋକର ପର୍ବ ଦୀପାବଳି ପାଇଁ ସଜେଇ ହୋଇ ରହିଛି ଅନେକ ପ୍ରକାରର ଦୀପ । ଯାହାକୁ ରାଜଧାନୀ ବାସିନ୍ଦା କିଣି ନେଇ ଯାଉଥିଲେ ବି ଖୁବ କମ୍ ଦିନ ମେଳା ଚାଲିବାକୁ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କାରଗରମାନେ । ବାତ୍ୟା ଦାନା ଆସି ପରୋକ୍ଷରେ ମାଟି କାରିଗରଙ୍କ ରୋଜଗାରରେ ବାଧା ସୃଷ୍ଟି କରିଛି । ଯିଏ ଗତବର୍ଷ ଲକ୍ଷାଧିକ ଟଙ୍କା ଆୟ କରିଥିଲା ଏବର୍ଷ କେତେ ବ୍ୟବସାୟ ହେବ ତାହାକୁ ନେଇ ଚିନ୍ତାରେ ରହିଛନ୍ତି । ଅନ୍ୟପକ୍ଷରେ ପାଗ ବଦଳୁଥିବା କାରଣରୁ ଗ୍ରାହକ ଆସିବେ କି ନାହିଁ , ଆଶା ଅନୁସାରେ ବ୍ୟବସାୟ ହେବ କି ନାହିଁ ଭାବି ନିରାଶ ହୋଇଛନ୍ତି ମୃର୍ତ୍ତିକା ବ୍ୟବସାୟୀ ।