କନକବ୍ୟୁରୋ : ଜିଏସ୍‌ଟିରେ ଅଣାଯାଇଥିବା ସବୁଠୁ ବଡ଼ ସଂସ୍କାର ଆସନ୍ତାକାଲିଠାରୁ ଲାଗୁ ହେବ। ଏହାର ଲାଭ ଯେଭଳି ଲୋକମାନଙ୍କ ପାଖରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ।  ଆସନ୍ତାକାଲି ଠାରୁ ଜିଏସ୍‌ଟି ଅଧିକାରୀମାନେ ବଜାର ଉପରେ ନଜର ରଖିବେ। ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍‌ଟି ବିଭାଗର କ୍ଷେତ୍ର ଅଧିକାରୀମାନେ ବଜାରରେ ଅଚାନକ ଚଢ଼ଉ କରିବେ। ଜିଏସ୍‌ଟି କମିବା ପରେ‌ ଯେଉଁ ଜିନିଷଗୁଡ଼ିକର ଦାମ୍ ଶସ୍ତା ହେବାର ଅଛି ସେମାନେ ତାହାକୁ କିଣିବେ ।  ଯଦି ଜିନିଷର ଦାମ୍ କମି ନଥିବ ତେବେ ସେମାନେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ନେବେ ।

Advertisment

ଜିଏସ୍‌ଟି ବିଭାଗ ପକ୍ଷରୁ ‌କ୍ଷେତ୍ର ଅଧିକାରୀମାନଙ୍କୁ ୫୪ଟି ଜିନିଷର ତାଲିକା ଦିଆଯାଇଛି। ରୋଷେଇ ଘର ବାସନକୁସନଠାରୁ ଆରମ୍ଭ କରି ପ୍ରସାଧାନ ସାମଗ୍ରୀ ଓ ଦୈନନ୍ଦୀନ ବ୍ୟବହାର ଜିନିଷଗୁଡ଼ିକୁ ଗୋଟିଏ ସୂଚୀରେ ରଖାଯାଇଛି ।  ଯାହା ଫଳରେ ସେଗୁଡ଼ିକ ଉପରେ ନିରୀକ୍ଷଣ ରଖିବା ସହଜ ହେବ। ସେହି ସମୟ ସବୁ ପ୍ରକାର ଷ୍ଟେସନାରିକୁ ଗୋଟିଏ ତାଲିକାରେ ରଖାଯାଇଛି । ନିଜେ ବଜାରକୁ ଯାଇ ଏହି ଜିନି‌ଷଗୁଡ଼ିକର ଦାମ୍‌ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ସେମାନେ ଆଗୁଆ ଦର ତାଲିକା ସଂଗ୍ରହ କରିଛନ୍ତି  । 

ସେପ୍ଟେମ୍ବର ୨୨ ପରେ ପୁଣି ଥରେ ସେମାନେ ସେହି ଜିନିଷଗୁଡ଼ିକର ନୂଆ ଦର ସଂଗ୍ରହ କରି‌ବେ। ନୂଆ ଓ ପୁରୁଣା ଦର ମଧ୍ୟରେ ତୁଳନା କରି ଦର ଯେତିକି କମିବା କଥା,  କମ୍ ହୋଇଛି ନା ନାହିଁ ତାହା ଜାଣିବାକୁ ପ୍ରୟା‌ସ କରିବେ ।   ଇତି ମଧ୍ୟରେ ବିଭିନ୍ନ କ୍ଷେତ୍ରର ସଂସ୍ଥା ଜିଏସ୍‌ଟିର ଲାଭ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି ପ୍ରସ୍ତୁତି କରିସାରିଛନ୍ତି।  ଗାଡ଼ି କମ୍ପାନିଗୁଡ଼ିକ ସେମାନଙ୍କ କେଉଁ ମଡେଲ୍‌ର ଦାମ୍ କେତେ କମ୍ ହୋଇଛି ତାହା ବିଜ୍ଞାପନ ଜରିଆରେ ପ୍ରଚାର କରୁଛନ୍ତି। ଭାରତୀୟ ରେଳ ଏହାର ୫୦୦ ଏମ୍ଏଲ୍‌ ରେଳ ନୀର୍‌ ପାଣି ବୋତଲର ଦାମ୍‌କୁ ୧୦ ଟଙ୍କାରୁ କମ୍ କରି ୯ ଟଙ୍କା କରିଛି। ରେଳ ଷ୍ଟେସନ୍ ଓ ଟ୍ରେନ୍ ଭିତରେ ଆଇଆର୍‌ସିଟିସି ଅନୁମୋଦିତ ବିକ୍ରେତାମାନେ ବିକୁଥିବା ପାଣି ବୋତଲ ଦାମ୍‌ ମଧ୍ୟ ହ୍ରାସ କରାଯାଇଛି । ଅମୁଲ ମଧ୍ୟ ଏହାର ୭୦୦ ଉତ୍ପାଦର ଦାମ୍ ହ୍ରାସ କରିଛି । 

 କମ୍ପାନିର ଘିଅ, ଲହୁଣି, ଆଇସ୍‌କ୍ରିମ୍ ଓ ଅନ୍ୟାନ୍ୟ ଦୁଗ୍ଧଜାତ ଜିନିଷର ଦାମ୍ ‌କମ୍ ହୋଇଛି ଯାହା ଆସନ୍ତାକାଲିଠାରୁ ଲାଗୁ ହେବ । ଅମୁଲର ଏକ ଲିଟର ଘିଅର ମୂଲ୍ୟ ୪୦ ଟଙ୍କା କମ୍ ହୋଇଛି । ଏହା ପୂର୍ବରୁ ମଦର ଡେରି ପକ୍ଷରୁ ବିଭିନ୍ନ ଉତ୍ପାଦର ଦର ହ୍ରାସ ଘୋଷଣା କରାଯାଇଥିଲା। କମ୍ପାନିର ଉତ୍ପାଦଗୁଡ଼ିକର ଦାମ୍ ୨ ଟଙ୍କାରୁ ଆରମ୍ଭ କରି ୩୦ ଟଙ୍କା ପର୍ଯ୍ୟନ୍ତ କମ୍ ହୋଇଛି। ଟେଟ୍ରା ପ୍ୟାକ୍ ଦୁଗ୍ଧ, ଘିଅ, ଚିଜ୍, ଆଇସ୍‌କ୍ରିମ୍ ଓ ଲହୁଣି ଆଦିର ମୂଲ୍ୟ ହ୍ରାସ ପାଇଛି ।