କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷାକର୍ମୀ ଓ ଅଟୋ ଚାଳକଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ପ୍ରଥମେ ସୁରକ୍ଷାକର୍ମୀ ଓ ଏବେ ସଫେଇ କର୍ମଚାରୀ କାମ ବନ୍ଦ କରିଛନ୍ତି । ଫଳରେ ଡାକ୍ତରଖାନାରୁ ଉଠିପାରୁନି ଅଳିଆ । ସବୁଠି କୁଢ କୁଢ ଅଳିଆ ଗଦା ହୋଇ ରହିଛି । ଦୁଇ ଗୋଷ୍ଠୀର ବିବାଦରେ ହନ୍ତସନ୍ତ ହେଲେଣି ରୋଗୀ ଓ ସମ୍ପର୍କୀୟ । କାଜୁଆଲ୍‌ଟିରୁ ମେଡିସିନ ଓ୍ବାର୍ଡ । ସବୁଠି କୁଢ଼କୁଢ଼ ଅଳିଆ । ପରିଶ୍ରାଗାର ବି ହୋଇପାରୁନି ସଫା । 

Advertisment

ଯେଉଁଠି ଆଖି ବୁଲାଇବେ ସେଇଠି ଖାଲି ଅଳିଆ ହିଁ ଅଳିଆ । ଦୁର୍ଗନ୍ଧମୟ ପରିବେଶରେ ହନ୍ତସନ୍ତ ରୋଗୀ । ଭୁବନେଶ୍ବରର ସବୁଠାରୁ ବଡ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରିଥିବାରୁ ଡାକ୍ତରଖାନାରେ ଏଭଳି ଅଚଳାବସ୍ଥା । ଉଠିପାରୁନି ଅଳିଆ, ସବୁଠି ଦୁର୍ଗନ୍ଧ ହିଁ ଦୁର୍ଗନ୍ଧ । ଏଭଳି ପରିବେଶରେ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଯିବ ବୋଲି କହିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।

କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁ ଘଟଣାକୁ ନେଇ ଗତ ତିନି ଦିନ ଧରି ଡାକ୍ତରଖାନା ପରିସରରେ ଚାଲିଛି ତୁମ୍ବିତୋଫାନ । ସୁରକ୍ଷାକର୍ମୀଙ୍କୁ ଅଟୋ ଚାଳକ ମାଡ଼ ମାରିବା ଘଟଣାରେ ଡାକ୍ତରଖାନାରେ ସୁରକ୍ଷାକର୍ମୀ ଧାରଣା ଦେଇଥିବାବେଳେ ତାଙ୍କୁ ସମର୍ଥନ ଜଣାଇ କାମ ବନ୍ଦ କରିଛନ୍ତି ସଫେଇ କର୍ମଚାରୀ । ଏହା ପ୍ରଭାବରେ ଡାକ୍ତରଖାନାରୁ ଉଠିପାରୁନି ଅଳିଆ । ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ସୁରକ୍ଷାକର୍ମୀ ଓ ଅଟୋ ଚାଳକଙ୍କ ଭିତରେ ଚାଲିଛି ବିବାଦ। ଆକ୍ରମଣକାରୀ ଗିରଫ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସୁରକ୍ଷାକର୍ମୀ ସଂଘ ଅଡିବସିଛି । ଅନ୍ୟପଟେ ପ୍ରତିମୂହୁର୍ତ୍ତରେ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।