କନକ ବ୍ୟୁରୋ: ଦେଶରୁ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏପଟେ ରାଜ୍ୟର ଲଘୁଚାପ ଜନିତ ବର୍ଷା ଜାରି ରହିଛି  । ବିଶେଷ କରି ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଜି ବର୍ଷା ହୋଇଛି  । ଏହାରି ଭିତରେ ଆଗାମୀ ଅକ୍ଟୋବର ମାସରେ ବାତ୍ୟାକୁ ନେଇ ଭୟ ବଢ଼ିଛି । 

Advertisment

ଅକ୍ଟୋବର ଆସୁଛି ଭୟ ବଢୁଛି । ଦୁର୍ଗାପୂଜା ପରେ ବାତ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ଅଧିକ । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବଡ଼ ବାତ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ଘାରୁଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ବଙ୍ଗୋପସାଗର କିମ୍ବା ଆରବ ସାଗରରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବାତ୍ୟା ସୃଷ୍ଟି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଏହି ସମୟ ମଧ୍ୟରେ ଲା-ନିନା ପ୍ରଭାବରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି  ହେବା ନେଇ ପାଗ ଅନୁକୂଳ ଥାଏ । ବାତ୍ୟାର ତୀବ୍ରତା ବଢାଇବାରେ ସହାୟକ ହୋଇଥାଏ । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ନାହିଁ ।

ମୌସୁମୀ ଅପସାରଣ ପରେ ବାତ୍ୟା ସମ୍ଭାବନା ଆହୁରି ଅଧିକ ବଢ଼ିଯାଏ । ଏହାର କାରଣ ହେଉଛି ଆକାଶରେ ବାଦଲର ଆଛାଦନ କମିଯିବ, ଯାହା ଫଳରେ ସମୁଦ୍ରର ତାପମାତ୍ରା ବଢିବ । ବାୟୁ ପ୍ରବାହର ତାରତମ୍ୟ ବି କମିଯିବ ।  ବାୟୁମଣ୍ଡଳରେ ତଳ ଓ ଉପର ଭାଗର ବାୟୁ ଚଳାଚଳ ସମାନ ବେଗରେ ଗୋଟିଏ ଦିଗରେ ହେବ । ଯାହା ଫଳରେ ବଙ୍ଗୋପସାଗର ରେ ଗୋଟିଏ ଛୋଟିଆ ଲଘୁଚାପ ସୃଷ୍ଟି  ହେଲେ ବି ବଳ ଗୋଟେଇ ଶକ୍ତିଶାଳୀ ହେବ ।

ବିଶେଷକରି ଅକ୍ଟୋବର, ନ‌ଭେମ୍ବର ଓ ଡିସେମ୍ବର ହେଉଛି ଓଡ଼ିଶା ପାଇଁ ବାତ୍ୟାର ସମୟ ତେଣୁ ଏହି ସମୟରେ ଲା ନିନା ସୃଷ୍ଟି ହେଲେ ବାତ୍ୟା ଆସିଥାଏ । ତେବେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ରୂପ ନେଇନାହିଁ । ୧୫ ତାରିଖରେ ଓଡ଼ିଶାରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ଲଘୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଲାଗିରହିବ ।