କନକ ବ୍ୟୁରୋ: ବର୍ଷ ପରେ ବର୍ଷ ବିତୁଛି ହେଲେ ସରୁନି ଜମ୍ଭିରା ନଦୀ ଉପରେ ସେତୁ କାମ । ପୋଲ ନିର୍ମାଣକୁ ୮ ବର୍ଷ ବିତିଲାଣି । ତଥାପି କାମ ସରୁନି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୭ଖଣ୍ଡ ପଞ୍ଚାୟତର ୧୫ ହଜାରରୁ ଅଧିକ ଲୋକ । ବିଭାଗୀୟ ଅଧୀକାରୀଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ରାସଗୋବିନ୍ଦପୁର ବ୍ଲକ ଦୁହିଲିପୁରା ଠାରେ ଜମ୍ଭୀରା ନଦୀ ଉପରେ ସେତୁ କାମ ମନ୍ଥର ଗତିରେ ଚାଲିଛି ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମଧ୍ୟ ଦେଇ ପ୍ରବାହିତ ହେଉଛି ଜମ୍ଭୀରା ନଦୀ । ଯାତାୟତ ପାଇଁ ଏହି ନଦୀ ବାଧକ ସାଜୁଥିବାରୁ ପୋଲ ନିର୍ମାଣ ପାଇଁ ଦୀର୍ଘଦିନର ଦାବି ପରେ ସରକାର ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ । ୨୦୧୮ରେ ୮ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ନିର୍ମାଣ ଅବଧି ମାତ୍ର ୨ବର୍ଷ ଥିବାବେଳେ ୮ ବିତିଲାଣି । ହେଲେ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଅସ୍ଥାୟୀ ରାସ୍ତା ଏବଂ ଡ୍ରମ ଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଛନ୍ତି ଲୋକେ । ମାତ୍ର ୪ କି.ମି ରାସ୍ତା ପାଇଁ ୨୫ କି.ମିରୁ ଅଧିକ ବାଟ ବୁଲି ଯିବାକୁ ପଡୁଛି । ତେଣୁ ପୋଲ ନିର୍ମାଣ ଶୀଘ୍ର ଶେଷ କରିବାକୁ ଦାବି ହୋଇଛି ।
ରାସଗୋବିନ୍ଦପୁର ବ୍ଲକର ସାନମାଣିଦା, ଖୁଣ୍ଟାପାଳ, ବଡାମପୁର, ରାଘବପୁର, ତୁଟାପଡ଼ା, ଛାତନା ଭଳି ୬ଟି ପଞ୍ଚାୟତ ନଦୀ ଆରପଟେ ରହିଛି । ବ୍ଲକ, ତହସିଲ, ଥାନା, ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ନଦୀ ଉପରେ ନିର୍ଭର କରନ୍ତି ପଞ୍ଚାୟତବାସୀ । ଖରାଦିନ ହୋଇଥିବାରୁ ଏବେ ଅସ୍ଥାୟୀ ପୋଲରେ କାମ ଚଳୁଛି । ବର୍ଷା ଦିନେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଏ ।
ଲୋକଙ୍କ ଅସୁବିଧାକୁ ଦୁଷ୍ଟିରେ ରଖି ତୁରନ୍ତ ପୋଲ କାମ ସାରିବାକୁ ଦାବି ହୋଇଛି । ନହେଲେ ଆଗାମି ଦିନରେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।