ମୁଁ ଓଡ଼ିଶା କହୁଛି...ଆଜି ମୋର ଜନ୍ମଦିନ । ୮୯ ବର୍ଷରେ ପାଦ ଥାପିଲି ମୁଁ । ଭାରତର ପୂର୍ବ ଉପକୂଳର ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କି.ମି ପରିଧି ଭିତରେ ଘର ମୋର । ପୂର୍ବରେ ମୋର ବଙ୍ଗୋପସାଗର, ପଶ୍ଚିମରେ ଛତିଶଗଡ଼... ଉତ୍ତରରେ ଝାଡ଼ଖଣ୍ଡ-ପଶ୍ଚିମବଙ୍ଗ ଓ ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ ।
ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ହେଉଛି ମୋର ରାଜଧାନୀ । ମୋ ପୁରୁଣା ରାଜଧାନୀ କଟକ, ଭୁବନେଶ୍ୱରରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ଏହି ଦୁଇ ସହର ମୋ ଦୁଇ ସନ୍ତାନ ପରି । ସୁସମ୍ପର୍କ ଆଉ ଉତ୍ତମ ସଡ଼କ ଯୋଗାଯୋଗ କାରଣରୁ ଏହି ଦୁଇ ସହର ଦ୍ୱୈତନଗରୀ ନାମରେ ବିଖ୍ୟାତ । ପୁରୀ, ଯାହାକି ଚାରିଧାମରୁ ଗୋଟେ ଧାମ ବିଶ୍ୱବିଖ୍ୟାତ ହିନ୍ଦୁ ଧର୍ମପୀଠ । ଭୁବନେଶ୍ୱରରୁ ପ୍ରାୟ ୬୦ କି.ମି. ଦୂରରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଜଗନ୍ନାଥ ଧାମ । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ବିଶ୍ୱବିଖ୍ୟାତ ପୁରୀ ।
ସେହିପରି ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମି ମୋ ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ମୋ ଭିତରେ ଜନ୍ମ ନେଇଛି । ସେଥିପାଇଁ ତ ମୋ ସମତଳ ଛାତିରେ ଧାନଚାଷ କରିଥାନ୍ତି ମୋ ଚଷାପୁଅ । ପ୍ରାୟ ୩୪% ଭୂମି ଅରଣ୍ୟ ମୋତେ ଆଚ୍ଛାଦିତ କରିଥିଲେ ବି ବିଭିନ୍ନ କାରଣରୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ।
https://www.facebook.com/share/v/12LGeW83Ue1/
ମୋ ଭିତରେ ଅନେକ ଅଭୟାରଣ୍ୟମାନ ସମାହିତ । ସେଥିରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହାତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀରମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥା, ଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି ।
ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଚିଲିକା ହ୍ରଦ ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ । ଏହାକୁ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରାୟ ୧୬୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି । ମୋ ମଥାର ମୁକୁଟ ସାଜି ୧୬୭୨ ମିଟରର ପର୍ବତ ଶୃଙ୍ଗ ଭାବେ ଶୋଭା ବଢ଼ାଉଛି ଦେଓମାଳୀ । ଯାହାକି ମୋ ଦକ୍ଷିଣର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଆଉ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ ।
ଖାଲି ଏତିକି ନୁହେଁ ନନ୍ଦନ କାନନ, ଚିଲିକା, ପୁରୀ, ଧଉଳି ଗିରି, ଖଣ୍ଡଗିରି, କୋଣାର୍କ, ବାରବାଟୀ, ଗୁପ୍ତେଶ୍ୱର, ହୀରାକୁଦ, ଘଟଗାଁ, ଶିମିଳିପାଳ, ଭିତରକନିକା ଭଳି ୩୪୭ଟି ପର୍ଯ୍ୟଟନସ୍ଥଳୀ ମୋ ଗରିମା ବଢ଼ାଉଛି । ମୁଁ ମନ୍ଦିରମାନଙ୍କ ପାଇଁ ସାରା ପୃଥିବୀରେ ପରିଚିତ । ଯେମିତି କି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉଚ୍ଚତା ୧୮୦ ଫୁଟ ଏବଂ ପୁରୀର ଜଗନ୍ନାଥ ମନ୍ଦିରର ଉଚ୍ଚତା ୨୧୪ ଫୁଟ, ଠିକ ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ପୃଥିବୀ ପ୍ରସିଦ୍ଧ । ବୌଦ୍ଧ ଏବଂ ଜୈନ ମନ୍ଦିର ମାନଙ୍କ ପାଇଁ ମଧ୍ୟ ମୁଁ ପ୍ରସିଦ୍ଧ । ଭୁବନେଶ୍ୱରରେ ଖଣ୍ଡଗିରି ଏବଂ ଉଦୟଗିରି ନାମକ ଦୁଇଟି ଗୁମ୍ଫା ରହିଛି । ଯାହାକି ପୁରାତନ ବୌଦ୍ଧ ଧର୍ମର ମୂକସାକ୍ଷୀ । ଠିକ ସେହି ପରି ଧଉଳିଗିରିଠାରେ ଥିବା ବିଶାଳ ବୌଦ୍ଧ ମୂର୍ତ୍ତି ମୋ ପାଖକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ମୋ ଭିତରେ ଥିବା ପ୍ରାକୃତିକ ସମ୍ପଦ ମୋତେ ସୁନ୍ଦର ଓ ସରସ କରୁଥିବାରୁ ପୁଞ୍ଜି ନିବେଶକାରୀଙ୍କ ପାଇଁ ମୁଁ ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ । ମୋ ଭିତରେ କୋଇଲାର ଏକ ପଞ୍ଚମାଂଶ, ଏହାର ଏକ ଚତୁର୍ଥାଂଶ ଲୁହାପଥର, ବକ୍ସାଇଟ୍ ଭଣ୍ଡାରର ଏକ ତୃତୀୟାଂଶ ଏବଂ କ୍ରୋମାଇଟ୍ ରହିଛି ।
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ମୋତେ ଅଲଗା ରାଜ୍ୟ ରୂପେ ଘୋଷଣା କରାଯାଇଥିଲା । ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେବ ଏହିପରି ଅନେକ ବୀରପୁରୁଷ ମୋତେ ନୂଆ ଜୀବନ ଦେଇଥିଲେ । ୨୦୧୧ରେ ମୋ ପୁରୁଣା ନାଁ ଓରିଶା ସଂଶୋଧନ କରି ଓଡ଼ିଶା ରାଜ୍ୟ ରୂପେ ନାମକରଣ କରାଯାଇଥିଲା । ଆଜି ବିଶ୍ୱ ଆଗରେ ଓଡ଼ିଆ ଜାତି ମୁଣ୍ଡ ଉଠାଇ ଠିଆ ହୋଇଛି । କାରଣ ମୋ ସଂସ୍କୃତି, ମୋ ଗୌରବମୟ ଇତିହାସ ସମୟର ଝଡ଼ରେ ହଜିଯାଇନି ।