କନକ ବ୍ୟୁରୋ: ଆଇଏଲଏସ୍ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ କେମିତି ଘଟିଲା ମୃତ୍ୟୁ? ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଚାଲିଥିବା ବିଭାଗୀୟ ତଦନ୍ତ ତାଙ୍କୁ ମାନସିକ ଭାବେ ଦୁର୍ବଳ କରିଦେଇଥିଲା ବୋଲି ଅଭିଯୋଗ ହେଉଛି। ଆଉ ତାଙ୍କର ଆକସ୍ମିକ ମୃତ୍ୟୁ ଏବେ ଘଟଣାକୁ ସନ୍ଦେହ ଭିତରକୁ ଠେଲି ଦେଇଛି।

ଆଇଏଲଏସ୍ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଭୁବନେଶ୍ବର ସ୍ଥିତ ଘରେ ଥିବା ବେଳେ ଶନିବାର ବିଳମ୍ୱିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମ୍ପର୍କୀୟ କହିଛନ୍ତି- 

କେଏଫସିରୁ ଖାଦ୍ୟ ମଗାଇ ଖାଇଥିଲେ ସନ୍ଦୀପ ମିଶ୍ର
ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲ ନେଇଥିଲେ ପରିବାର ଲୋକ
ଝାଡ଼ା, ବାନ୍ତିର ଚିକିତ୍ସା ପରେ ଘରକୁ ଫେରିଆସିଥିଲେ
ହେଲେ ବିଳମ୍ୱିତ ରାତିରେ ପୁଣି ଗୁରୁତର ହୋଇପଡ଼ିଥିଲେ
ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ୍- ଆଇଏଲଏସରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିଲେ ସନ୍ଦୀପ ମିଶ୍ର। ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ନୂଆ ଔଷଧ ପ୍ରସ୍ତୁତ କରି ବେଶ ଚର୍ଚ୍ଚାକୁ ଆସିଥିଲେ। ହେଲେ କୁହାଯାଉଛି କିଛିଦିନ ହେଲା ସେ ଅଫିସ ଆସୁନଥିଲେ। କୌଣସି କାରଣକୁ ନେଇ ଭୀଷଣ ମାନସିକ ଚାପରେ ଥିଲେ। ଏପରିକି ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଥିବା ଶୁଣିବାକୁ ମିଳୁଛି। ଯାହା ପୁରା ଘଟଣାକୁ ସନ୍ଦେହ ଭିତରକୁ ଠେଲି ଦେଇଛି। 

ସନ୍ଦୀପଙ୍କ ବିରୋଧରେ କି ପ୍ରକାର ତଦନ୍ତ ଚାଲିଥିଲା?
କିଏ ଓ କ’ଣ ଅଭିଯୋଗ କରିଥିଲେ, ଯାହାକୁ ନେଇ ସେ ଚିନ୍ତାରେ ଥିଲେ?
ଏହି ମାନସିକ ଚିନ୍ତା ତାଙ୍କ ମୃତ୍ୟୁର କାରଣ ପାଲଟିଲା କି?
ଶୁଣିବାକୁ ମିଳୁଛି ବିଭାଗୀୟ ତଦନ୍ତ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କୁ ମାନସିକ ଭାବେ ଏତେ ଦୁର୍ବଳ କରିଦେଇଥିଲା ଯେ, ବାରମ୍ୱାର ଆତ୍ମହତ୍ୟା କରିବାକୁ କହୁଥିଲେ। ଅଫିସରେ ସହଯୋଗୀ ମାନଙ୍କୁ ଏଭଳି କହିବୁଲୁଥିବା ଶୁଣାବାକୁ ମିଳୁଛି। ଏ ସଂପର୍କରେ କିନ୍ତୁ ବିଭାଗୀୟ କର୍ତୃପକ୍ଷ ମୁହଁ ଖୋଲି ନାହାନ୍ତି। 

ସନ୍ଦେହ ଭିତରେ ଅପେକ୍ଷା ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ। ଯାହା ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟାଇବ ବୋଲି ଆଶା।