କନକ ବ୍ୟୁରୋ : ବାୟୁମଣ୍ଡଳରେ କମି ଯାଉଛି ଅମ୍ଳଜାନ ସ୍ତର । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀ ଧୀରେ ଧୀରେ ବିନାଶ ଆଡ଼କୁ ଗତି କରୁଛି । ମା’ ପାଇଁ ଗଛଟିଏ ଲଗାଇବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ କଟା ଚାଲିଛି ହଜାର ହଜାର ମୂଲ୍ୟବାନ ଗଛ । ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କମ୍ପାନୀ ବନ ଅଧିକାରୀଙ୍କ ସହ ସଲାସୁତୁରା କରି କାଟିଚାଲିଛି ଗଛ । 

Advertisment

ଶକ୍ତି ଉତ୍ପାଦନ ପାଇଁ ହଜାର ହଜାର ଗଛ ବିକାଶ ନାଁରେ ହେଉଛି ବିନାଶ । ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ହିଲ୍ ଆଣ୍ଡ ଏନର୍ଜି ନାମକ ଏକ କମ୍ପାନୀ ବେଧଡକ୍ କାଟିଚାଲିଛି ଗଛ । ଏପରିକି ଲୋକଙ୍କ ଚାଷ ଜମିକୁ ଡରାଇ ଧମକାଇ ଅକ୍ତିଆର କରି ଗଛ କଟା ଚାଲିଛି । ବଣାଇମୁଣ୍ଡା ପଞ୍ଚାୟତର ଦଲଦଲି ଓ ରାଖିଉଡାର ମଝିରେ ସୋଲାର ପ୍ଲାଣ୍ଟ ପାଇଁ କାମ ଚାଲିଛି। ଯେଉଁ ଜାଗାରେ ଏତେ ଗଛ କଟା ଚାଲିଛି, ସେହି ପାଖରେ ଅଛି ବନ ବିଭାଗ ଅଫିସ । ହେଲେ ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଜଙ୍ଗଲ ଅଧିକାରୀ । ଏଥିପାଇଁ ନା ଅଛି ସ୍ଥାନୀୟ ଲୋକଙ୍କ ଅନୁମତି ନା ବନ ବିଭାଗର । 

ବନ ବିଭାଗ ଅଧିକାରୀଙ୍କୁ ହାତବାରିସି କରି ଶହ ଶହ ବର୍ଷର ପୁରୁଣା ଗଛ କମ୍ପାନୀ କାଟୁଥିବାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜଙ୍ଗଲ ବିଭାଗକୁ ଜଣାଇଲେ ବି କିଛି ଫଳ ମିଳୁନି । ପ୍ରତିଦିନ ଏପରି ବେଆଇନ୍ ଭାବେ ଗଛ କଟା ଚାଲିଥିବାରୁ ଦଲଦଲି ଗାଁର ଜଣେ ଚାଷୀ ରାଜକିଶୋର ପଟେଲ ବଲାଙ୍ଗିର ଡିଏଫଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଡିଏଫଓଙ୍କ ନିର୍ଦ୍ଦେଶରେ ଏସିଏଫ୍ ସୋଲାର ପ୍ଲାଣ୍ଟ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।