କନକ ବ୍ୟୁରୋ: ସୁନ୍ଦରଗଡ଼ ତେଲେନଡିହି ଓ ରତନସରା ଅଞ୍ଚଳରୁ ହଜାର ହଜାର ଟନ୍ କୋଇଲା ଲୁଟ୍ ଖବର ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବଣାଇରୁ ଆସିଛି ଖଣି ମାଫିଆଙ୍କ ଆଉ ଏକ କାରନାମା । ପ୍ରଶାସନର ଆଖି ଆଗରେ ଲୁଟି ନେଇଛନ୍ତି ଶହ ଶହ କୋଟି ଟଙ୍କାର ପଥର ।

Advertisment

ଅନାଇଲେ ଆଖି ପାଉନି । ବଡ଼ ମେସିନ୍ ଲଗାଇ ପାହାଡ଼ ଖୋଳି ନେଇଛନ୍ତି ମାଫିଆ । ବଣାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ରୁକୁଡ଼ା ଡ୍ୟାମ ନିକଟ ମୂଷାପୋଷ ଗାଁର ଜଙ୍ଗଲ ଭିତରେ ବର୍ଷ ବର୍ଷ ଧରି ବ୍ଲାଷ୍ଟିଂ କରି ପାହାଡ଼ ଫଟାଇ ପ୍ରାୟ ୨୦୦ ଫୁଟ୍ ଗଭୀର ପର୍ଯ୍ୟନ୍ତ ପଥର ଲୁଟିଛନ୍ତି ମାଫିଆ ।

ସୂଚନା ଅନୁସାରେ ୨୦୨୧ରେ ଜାତୀୟ ରାଜପଥ ନିର୍ମାଣ ପାଇଁ ତତ୍କାଳୀନ ଜିଲ୍ଲାପାଳ ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ କମ୍ପାନୀକୁ ମୂଷାପୋଷରୁ ପଥର ଉତ୍ତୋଳନ କରିବାକୁ ଅନୁମତି ଦେଇଥିଲେ । ଖାତା ଓ ପ୍ଲଟନ ୩କୁ ତହସିଲଦାରଙ୍କ ଦ୍ୱାରା ୩ ମାସ ପାଇଁ ଟେଣ୍ଡର ଦିଆଯାଇଥିଲା । ପରେ ୨୦୨୩ ପର୍ଯ୍ୟନ୍ତ ଅଳ୍ପ କ୍ଷମତା ଓ ଏରିଆ ଖନନ ପାଇଁ ଅନୁମତି ଦିଆଯାଇଥିଲା । ୨୦୨୩ପରେ ଏହି ପଥର ଖଣିକୁ ଆଉ କାହାକୁ ନିଲାମ ଦିଆଯାଇନି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ପଥର ଖଣି ଉପରେ ପଡିଥିଲା ଖଣି ମାଫିଆଙ୍କ ନଜର । ସେବେଠାରୁ ଆଜି ପର୍ଯ୍ୟନ୍ତ ପାହାଡ ଫଟାଇ, ପ୍ରୋକଲିନ ମେସିନ୍, ଡ୍ରିଲିଂ ମେସିନ ଲଗାଇ ପଥର ତାଡି ଶହ ଶହ ହାଇୱା ଜରିଆରେ ଲୁଟି ଚାଲିଛନ୍ତି କୋଟି କୋଟି ଟଙ୍କାର ପଥର ।

ଡ୍ୟାମ କି ଜନବସତି ନିକଟରେ ବ୍ଲାଷ୍ଟିଂ କରାଯିବାର ନିୟମ ନାହିଁ । କିନ୍ତୁ ଜନବସତିଠାରୁ ମାତ୍ର ଅଳ୍ପ ଦୂରରେ ବ୍ଲାଷ୍ଟିଂ କରାଯାଉଥିବା ସ୍ଥାନୀୟ ଲୋକଙ୍କ ଘର ପ୍ରଭାବିତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସୁନ୍ଦରଗଡ଼ କୋଇଡାରୁ ଆସୁଥିବା ଦୃଶ୍ୟରୁ ସ୍ପଷ୍ଟ ହୋଇଛି ମାଫିଆମାନେ ପଥର ଲୁଟି ମାଲାମାଲ ହେଉଛନ୍ତି । ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ତଥାପି ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ତେଣୁ ପ୍ରଶ୍ନ ଉଠୁଛି, ପଥର ମାଫିଆଙ୍କ ପଛରେ କିଏ ? କାହିଁକି ନିରବ ବସିଛି ପ୍ରଶାସନ ?