କନକ ବ୍ୟୁରୋ : ଢ଼େଙ୍କାନାଳ ଜଗନ୍ନାଥପୁର ଗାଁ ପାଖ ପଥର ଖଣିରେ ବେଆଇନ ଭାବେ ଡ଼ିନାମାଇଟ ବ୍ଲାଷ୍ଟିଂ କରାଯାଉଥିବା ଅଭିଯୋଗ ହୋଇଛି । ଏହି ସମୟରେ ଏତେ ଭୟଙ୍କର ଶଦ୍ଦ ହେଉଛି ଯେ ଭୂମିକମ୍ପ ହେଲା ଭଳି ଅନୁଭୂତ ହେଉଛି । ଗାଁରେ ପ୍ରାୟ ୭୦ ପରିବାର ବସବାସ କରୁଥିବାବେଳେ ବ୍ଲାଷ୍ଟିଂ ଯୋଗୁଁ ସମସ୍ତଙ୍କ ଘର କାନ୍ଥ ସବୁ ଫାଟି ଆଁ କରିଛି। ଏହା କେବେ ବି ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି । ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇଥିବାରୁ ଘର ମରାମତି ଏମାନଙ୍କ ପାଖରେ ଅସମ୍ଭବ ହୋଇପଡ଼ିଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ଖଣି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଫଳରେ ଲୋକମାନେ ବାଧ୍ୟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଏହି ବେଆଇନ ପଥର ଖଣିକୁ ବନ୍ଦ କରିବାକୁ ଦାବି କରିଛନ୍ତି ।
ଦୀର୍ଘ ୨ ବର୍ଷ ଧରି ବେଆଇନ ବିସ୍ଫୋରଣ କରାଯାଉଛି । ପଥର ଖଣିରେ ସୃଷ୍ଟି ହୋଇଛି ବିରାଟ ଗର୍ତ୍ତ । ବ୍ଲାଷ୍ଟିଂ ସମୟରେ ବଡ ବଡ ପଥର ଖଣ୍ଡ ପଡୁଥିବାରୁ ଲୋକ ସେହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି। ଖଣି ଚତୁଃପାର୍ଶ୍ବରେ ବାଡ ନଥିବାରୁ ଗାଇ ଗୋରୁ ଏହି ଖଣିରେ ପଡି ମୃତ୍ୟୁବରଣ କରୁଛନ୍ତି ।
ପଥର ଖଣିରେ ବେଆଇନ ବିସ୍ପୋରଣ ଯୋଗୁଁ ଜାବଜନ୍ତୁ ଓ ବୃକ୍ଷଲତା ସହ ଜଳବାୟୁ ମଧ୍ୟ ପ୍ରଭାବିତ ହେଉଛି । ପ୍ରଶସାନ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।