କନକ ବ୍ୟୁରୋ : ଖୁଡ଼ିଙ୍କୁ ମାଆ ସମାନ ବୋଲି କୁହାଯାଏ । ଖୁଡ଼ି-ପୁତୁରା ମାଆ-ପୁଅର ସଂପର୍କ ପରି । କିନ୍ତୁ ବର୍ତ୍ତମାନ ସମାଜର ଏଭଳି ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଅନୈତିକ ସମ୍ପର୍କ ସାଜିଲା ବୈଇରୀ । ଜୀବନ ନେଲା ଦେହ ଲୋଭି ନରପିପାଶ ପୁତୁରା । ସମ୍ପର୍କିୟ ଖୁଡ଼ିଙ୍କୁ ପ୍ରେମ କରି ବିଭତ୍ସ ଭାବରେ ହତ୍ୟା କରିଛି । ଆଉ ଆତ୍ମସମର୍ପଣ କରି ପୁଲିସ ଆଗରେ କୁ-ସମ୍ପର୍କର ଅକୁହା କାହାଣୀ ବର୍ଣ୍ଣନା କରିଛି ଅଭିଯୁକ୍ତ ।

Advertisment

ଧରାକୋଟ ଥାନା ବରଡାବିଲି ଗାଁରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପାପ ସଂପର୍କ । ସଂପର୍କୀୟ ଖୁଡ଼ିକୁ ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା । ଅନୈତିକ ପ୍ରେମ ସଂପର୍କର କରୁଣ ପରିଣତି ବୋଲି କହିଛି ଅଭିଯୁକ୍ତ ।

ବରଡାବିଲି ଗାଁର ମୃତ ବିଧବା ମହିଳାଙ୍କୁ ପ୍ରେମ କରୁଥିଲା ଅଭିଯୁକ୍ତ ବଳରାମ ସାହୁ । କ୍ୟାନ୍ସରରେ ସଂପର୍କୀୟ ଦାଦାଙ୍କ ମୃତ୍ୟୁ ପରେ ଖୁଡ଼ିଙ୍କ ପ୍ରେମର ପଡ଼ିଯାଇଥିଲା ବଳରାମ । ଦୁହିଁଙ୍କ ମଧ୍ୟରେ ଶାରିରୀକ ସଂପର୍କ ମଧ୍ୟ ଥିଲା । ମହିଳା ଜଣଙ୍କ ସଂପର୍କକୁ ସାମାଜିକ ସ୍ୱୀକୃତି ଦେବାକୁ ଦାବି କରୁଥିଲେ । କିନ୍ତୁ ଏହା ଚାହୁଁ ନଥିଲା ଅଭିଯୁକ୍ତ । ସଂପର୍କରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ଟାଣିବାକୁ ନେଇଥିଲା ନିଷ୍ପତ୍ତି । ଶୁକ୍ରବାର ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ, ଘରେ ପଶି ଶାଶୁଙ୍କ ସାମ୍ନାରେ ବୋହୂ ଅର୍ଥାତ୍ ନିଜ ପ୍ରେମିକାର ବେକକୁ କାଟି ହତ୍ୟା କରିଛି ଅଭିଯୁକ୍ତ ପ୍ରେମିକ ତଥା ପୁତୁରା ।

ପ୍ରେମିକାକୁ ହତ୍ୟା କରିବା ପରେ ରକ୍ତ ଭିଜା ଛୁରି ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ସାଇଣ୍ଟିଫିକ୍ ଟିମ୍‌ ରକ୍ତ ନମୁନା ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିଛି । ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ହେଲେ ଏବେ ସବୁଠାରୁ ବଡ ପ୍ରଶ୍ନ, ମୃତ ମହିଳାଙ୍କ ଝିଅ ଏବେ କରିବ କ'ଣ ? କ୍ୟାନ୍ସରରେ ବାପା ଆରପାରିକୁ ଚାଲିଯାଇଥିଲେ, ମାଆଙ୍କୁ ହତ୍ୟା କରାଯାଇଛି । କୁନି ଝିଅ କଥା ବୁଝିବ କିଏ ?