କନକବ୍ୟୁରୋ : ଖଣି ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଉଛି ବେଆଇନ୍‌ ଭାରିଯାନ ପାର୍କିଂ । ରାଜପଥ କଡ଼ରେ ଭାରିଯାନ  ପାର୍କିଂ ପାଇଁ ଦୁର୍ଘଟଣା ବଢୁଛି । ଅକାଳରେ ନୀରିହ ଜୀବନ ଚାଲିଯାଉଛି ।  ଆଉ ସବୁ ଜାଣି ଚୁପ୍‌ ବସିଛି ପରିବହନ ବିଭାଗ ।  ଖଣି ଉପତ୍ୟକା ଯୋଡ଼ା ଓ ଚମ୍ପୁଆର ୨୦ ଓ ୫୨୦ ନମ୍ବର ଜାତୀୟ ରାଜପଥରେ ଘଣ୍ଟାଘଣ୍ଟା ଧରି ଠିଆ ହେଉଛି ଭାରିଯାନ ।  ଯାହା ଏବେ ବଡ଼ ସମସ୍ୟା ।   ବେଆଇନ ପାର୍କିଂ ଯୋଗୁଁ ୫୨୦ ନଂ ଜାତୀୟ ରାଜପଥରେ ବଢ଼ୁଛି ଦୁର୍ଘଟଣା । ରିମୁଳି ଠାରୁ ଗୁଆଲି ଯାଏଁ ଏକ ପ୍ରକାର ଡେଥ୍‌ ଜୋନ୍‌ ପାଲଟିଛି ।  

Advertisment

ଗତ ୬ ମାସରେ ୭୦ରୁ ଅଧିକ ଦୁର୍ଘଟଣା ଘଟିଛି । ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି  ।  ତଥାପି ପରିବହନ ବିଭାଗ ପକ୍ଷରୁ ବେଆଇନ୍‌ ପାର୍କିଂ ଉପରେ ଅଙ୍କୁଶ ଲଗାଯାଇପାରିନାହିଁ ।  ଟ୍ରାଫିକ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ  ୨୦୧୧ ମସିହାରେ ବଡ଼ବିଲ ପୁଲିସ ସବ୍‌ଡିଭିଜନ୍‌ରେ ସ୍ପେଶାଲ ଟ୍ରାଫିକ୍‌ ୟୁନିଟ୍‌ ଶୁଭାରମ୍ଭ ହୋଇଥିଲା ।  ଏପରିକି ଗତବର୍ଷ ମେ’ ମାସରେ କେନ୍ଦୁଝର ଓ ବଡ଼ବିଲ ସହରରେ ୨ଟି ଟ୍ରାଫିକ ଥାନା ଘୋଷଣା କରିଥିଲେ ସରକାର ।  ଯାହା କେବଳ କାଗଜ କଲମରେ ସୀମିତ ରହିଯାଇଛି ।  ଫଳରେ ଦୁର୍ଘଟଣା ଚମ୍ପୁଆ ଉପଖଣ୍ଡରେ ଏକ ନିତିଦିନିଆ ଘଟଣା ହୋଇଯାଇଛି ।