କନକ ବ୍ୟୁରୋ : ସରକାରୀ ନାଲି ଫିତା ତଳେ ଚାପି ହୋଇଗଲା କି, ସୁନ୍ଦରଗଡ଼ ଖଣିଚୋରି ମାମଲା ? ତଦନ୍ତ ନାଁରେ କଳାହୀରା ଚୋରିର କାର୍ପଟଦାରଙ୍କୁ ଦିଆଯାଉଛି କି ସୁରକ୍ଷା ? ଲକ୍ଷ ଲକ୍ଷ ଟନ୍‌ କୋଇଲା ଖଣି ଖୋଳି ଖାଇଗଲେ । ହେଲେ ୪ଜଣ ନୀରିହ ଆଦିବାସୀଙ୍କୁ ବାନ୍ଧି ଜେଲ ପଠାଇଦେଲେ । ସେମାନେ ବି ଜାମିନ ପାଇ ମୁକୁଳି ସାରିଲେଣି । ତେଣୁ ଏତେବଡ଼ ଷଡ଼ଯନ୍ତ୍ର ପଛରେ ଥିବା ମାଫିଆଙ୍କ ବିରୋଧରେ, ସରକାରୀ କାର୍ଯ୍ୟାନୁଷ୍ଠାନକୁ ଲୋକେ ସନ୍ଦେହ କଲେଣି ।

କନକ ନ୍ୟୁଜ୍‌ ପ୍ରଥମେ ପ୍ରସାରଣ କରିଥିଲା ସୁନ୍ଦରଗଡ଼ରେ ଖଣି ଚୋରି । ପ୍ରାୟ ୧ ମାସ ଧରି ଗୋଟିଏ ପରେ ଗୋଟିଏ କୋଇଲା କେଳେଙ୍କାରୀର ଗୁମର ଖୋଲିଥିଲା । ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ଆକ୍ସନକୁ ଆସିଲା । ମାଳ ମାଳ ଗାଡ଼ି ବୁଲିଲା, ଡ୍ରୋନ୍‌ ଉଡ଼ିଲା, ପୋଲିସ ବୁଲିଲା । ଶେଷରେ ଖଣିମନ୍ତ୍ରୀ ଓ ସଚିବ ସ୍ତରୀୟ ଟିମ୍‌ ବି ଜଙ୍ଗଲ ଭିତରେ ଚାଲିଚାଲି ଖଣି ଚୋରି ଦେଖିଲେ । ହେଲେ ଫଳ ଶୂନ ।

କୁହାଯାଉଛି କାହାକୁ ନପାଇ ୪ ଜଣ ନିରୀହ ଆଦିବାସୀଙ୍କୁ ଖଣି ଚୋର କହି ଜେଲକୁ ପଠାଇ ଦିଆଗଲା । ହେଲେ ଗୋଟିଏ ଶୁଣାଣିରେ ସେମାନଙ୍କୁ ଜାମିନ ମିଳିଯିବା ପରେ, ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଫିଆଙ୍କୁ କିଏ ଦଉଛି ସୁରକ୍ଷା ? ତଦନ୍ତ ନାଁରେ ମାଫିଆଙ୍କୁ ଖସିଯିବାକୁ ସୁଯୋଗ ଦିଆଯାଉଛି କି ? ସରକାରୀ ନାଲି ଫିତା ତଳେ ଚପି ଯିବନି ତ କୋଇଲା କେଳେଙ୍କାରୀ ?

୨୦୧୭, ୨୦୧୯ , ୨୦୨୩ ଓ ଏବେ ୨୦୨୫ ବାରମ୍ବାର ଖଣିଚୋରି ଧରିଛି କନକ ନ୍ୟୁଜ କ୍ୟାମେରା । କୁହାଯାଉଛି ମାଫିଆଙ୍କ ହାତ ଏତେ ଲମ୍ବା ଯେ, ବର୍ଷ ପରେ ବର୍ଷ ସରକାର ପଛେ ବଦଳି ଯାଉଛି, କୋଇଲା ମାଫିଆ କିନ୍ତୁ ଧରାପଡୁନହାନ୍ତି । ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । କଂଗ୍ରେସ ବିଧାୟକ ରାଜନ ଏକା ମଧ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସୁନ୍ଦଗଡ଼ବାସୀଙ୍କ ସନ୍ଦେହ ଯେ, ବର୍ଷବର୍ଷ ଧରି ପ୍ରଶାସନର ଜାଣତରେ କୋଟି କୋଟି ଟଙ୍କାର କୋଇଲା କେଳେଙ୍କାରୀ ଚାଲିଥିଲା । ନେତା, ଅଫିସରଙ୍କ ସମର୍ଥନରେ ଖଣି ଖୋଳ କରୁଥିଲେ ମାଫିଆ । ତେଣୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବାର ନାହିଁ ।