କନକ ବ୍ୟୁରୋ : ୱାକଫ୍ ବୋର୍ଡ ସଂଶୋଧିତ ଆଇନ ଲାଗୁ ହେଉ ହେଉ ସରକାର ଆକ୍ସନ ଆରମ୍ଭ କରିଦେଇଛନ୍ତି । ପ୍ରଥମ କାର୍ଯ୍ୟାନୁଷ୍ଠାନ ଭାବେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ଥିବା ଏକ ବେଆଇନ ମଦ୍ରାସାକୁ ଭାଙ୍ଗି ଦିଆଯାଇଛି । କୁହାଯାଉଛି କି, ଏହି ମଦ୍ରାସା ବେଆଇନ ଭାବେ ସରକାରୀ ଜମି ଉପରେ ନିର୍ମାଣ ହୋଇଥିଲା । ପୂର୍ବରୁ ଏନେଇ ଅଭିଯୋଗ ହୋଇଥିଲା । ନୂଆ ଆଇନ ଆସିବା ପରେ ତୁରନ୍ତ ଏହି ମଦ୍ରାସାକୁ ଭାଙ୍ଗିଦିଆଯାଇଛି ।
ଏହି ମଦ୍ରାସାକୁ ନେଇ ସ୍ଥାନୀୟ ଲୋକମାନେ ସ୍ଥାନୀୟ ସାଂସଦ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଏସଡିଏମ୍ ମଦ୍ରାସା ସଂଚାଳକଙ୍କୁ ନୋଟିସ ଜାରି କରିଥିଲେ । ପ୍ରଶାସନ ତରଫରୁ ନୋଟିସ୍ ମିଳିବା ପରେ ନିଜେ ମଦ୍ରାସା ସଂଚାଳକ ଶ୍ରମିକଙ୍କ ସହାୟତାରେ ମଦ୍ରାସାକୁ ଭାଙ୍ଗି ଦେଇଛନ୍ତି ।
କହିରଖୁ କି, ଦେଶରେ ୱାକଫ୍ ସଂଶୋଧନ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି । ମୁସଲିମ୍ ସଂଗଠନ ବ୍ୟତୀତ, ବିରୋଧୀଦଳ ଏବଂ ଏନଡିଏର କିଛି ସହଯୋଗୀ ଦଳ ଏହି ସଂଶୋଧିତ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସେପଟେ ଏହାକୁ ନେଇ ବିହାରର କିଛି ସ୍ଥାନରେ ଆନ୍ଦୋଳନ ଚାଲିଥିବା ବେଳେ ହିଂସାର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଗତକାଲି ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହିଂସା ଉଗ୍ରରୂପ ନେଇଛି । ଏହି ହିଂସାରେ ୨ ଜଣ ହିନ୍ଦୁ ସଂପ୍ରଦାୟର ଲୋକଙ୍କର ମୃତ୍ୟୁ ହୋଇଛି ।