କନକ ବ୍ୟୁରୋ: ପୁରୀ ସମୁଦ୍ର କୂଳରେ ବେଆଇନ୍ ଭାବେ ନିର୍ମାଣ ହେଉଛି ବଡ଼ ବଡ଼ ହୋଟେଲ। ନା ଅଛି ପିକେଡିଏର ଅନୁମତି ନା ଅଛି ଓଡ଼ିଶା ଉପକୂଳ ଜୋନ୍ ପରିଚାଳନା ପ୍ରାଧିକରଣର ଅନୁମତି। ସିଆରଜେଡ୍ ନିୟମକୁ ଉଲଂଘନ କରି ୩୫ଟି ବେଆଇନ୍ ହୋଟେଲ ଠିଆ ହେଲାଣି। ଯାହାକୁ ନେଇ ନୋଟିସ୍ କରିଛି ଜଙ୍ଗଲ ଓ ପରିବେଶ ବିଭାଗ।
- ସିଆରଜେଡ୍ ନିୟମର ଖୋଲା ଉଲଂଘନ
- ପୁରୀ ବେଳାଭୂମିରେ ମାଳ ମାଳ ବେଆଇନ୍ ହୋଟେଲ
ପୁରୀ ସମୁଦ୍ର କୂଳରେ ଅବାଧରେ ନିର୍ମାଣ ହେଉଛି ହୋଟେଲ୍। କିଏ ୫ ତାଲା, କିଏ ୭ ତାଲା ତ କିଏ ୧୦ ତାଲା, ଏଭଳି ୩୫ଟି ହୋଟେଲ ଏବେ ବେଳାଭୂମିରେ ଠିଆ ହେଲାଣି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଏଥିପାଇଁ କାହାର ନାହିଁ ଅନୁମତି । ଯେଉଁଥିପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ।
ପୁରୀ ଜିଲ୍ଲାପାଳ, ପିକେଡିଏ ଏବଂ ଓଡ଼ିଶା ଉପକୂଳ ଜୋନ୍ ପରିଚାଳନା ପ୍ରାଧିକରଣ ବା OCZMAକୁ ବିଭାଗ ଚିଠି ଲେଖି, ସିଆରଜେଡ୍ ନିୟମର ଖୋଲା ଉଲଂଘନ ହେଉଥିବା ଅଭିଯୋଗ କରିଛି। ଯେହେତୁ ପୁରୀ ବେଳାଭୂମି ସିଆରଜେଡ୍ ଅଞ୍ଚଳରେ ଆସୁଛି, ଏଠାରେ କୌଣସି ହୋଟେଲ ବା ନିର୍ମାଣ ପୂର୍ବରୁ ପ୍ରଥମେ ଓସିଜେଡଏମ୍ଏର ଅନୁମତି ଆବଶ୍ୟକ। ପରେ ପିକେଡିଏ ଅବା ପୁରୀ ପୌରପାଳିକାଠାରୁ ନିର୍ମାଣ ଅନୁମତି ଆବଶ୍ୟକ ରହିଛି। କିନ୍ତୁ ସେଭଳି କିଛି ଅନୁମତି ନନେଇ ତରବରିଆ ଭାବେ ମାଳ ମାଳ ହୋଟେଲ ଓ ନିର୍ମାଣ ଜାରି ରହିଛି।
ସିପସରୁବାଲି, ବଳିଆପଣ୍ଡା, ଗୌଡ଼ବାଡ଼ ସାହି, ବାଲିସାହି, ନୋଳିଆସାହି ଓ ଚକ୍ରତୀର୍ଥ ମୌଜାରେ ଏଭଳି ବ୍ୟାପକ ବେନିୟମ ନିର୍ମାଣ ଚାଲିଛି। ଯେଉଁ ଅଞ୍ଚଳରେ ଏହି ବ୍ୟବସାୟିକ କୋଠା ନିର୍ମାଣ କରାଯାଉଛି, ତାହା ସିଆରଜେଡ୍-୨ ଅଞ୍ଚଳରେ ଆସୁଛି। ବାହୁବଳୀ ଓ ପ୍ରଭାବଶାଳୀ ମାନେ ଏଭଳି ବେଆଇନ୍ ନିର୍ମାଣ କରୁଛନ୍ତି। କେବଳ ସେତିକି ନୁହେଁ, ତଦନ୍ତରେ ବିଳମ୍ବ ଯୋଗୁଁ ବ୍ୟବସାୟିକ କୋଠା ନିର୍ମାଣ ସଂଖ୍ୟା ୨୪ରୁ ୩୫ରେ ପହଞ୍ଚିଲାଣି। ପୁରୀ ସମୁଦ୍ର କୂଳର ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ଏଭଳି ବେଆଇନ୍ କୋଠାକୁ ତୁରନ୍ତ ଭାଙ୍ଗିବାକୁ ନିବେଦନ କରାଯାଇଛି।
ପ୍ରଶ୍ନ ଉଠୁଛି, ପୁରୀ ସମୁଦ୍ର କୂଳରେ କେମିତି ବିନା ଅନୁମତିରେ ଚାଲିଛି ଏଡ଼େ ଏଡ଼େ କୋଠା ? ଆଜିଯାଏଁ କାହିଁକି ଚେଇଁ ଶୋଇଛି ପୁରୀ ପୌରପାଳିକା ? କଣ କରୁଛି ପିକେଡିଏ ?