କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀ ନଦୀରୁ ବେଆଇନି ଭାବେ ବେଧଡ଼କ ଭାବେ ଚାଲିଛି ଖଙ୍ଗାମାଛ ଏବଂ ଚିଙ୍ଗୁଡି ଜାଆଁଳ ଚୋରା ଚାଲାଣ । ଅଭିନବ ଉପାୟରେ ପାଣିରୁ ଛାଣି ନେଉଛନ୍ତି ବିଭିନ୍ନ ପ୍ରକାର ମାଛ ଜାଆଁଳ । ନୀରବ ସାମୁଦ୍ରିକ ମତ୍ସ୍ୟ ବିଭାଗ ।
ଅସ୍ତରଙ୍ଗ ହେଉଛି ନଦୀ ଏବଂ ସମୁଦ୍ର ଘେରା ଅଞ୍ଚଳ । ଧାନ, ମୀନ ଏବଂ ପାନ ଉପରେ ନିର୍ଭରଶୀଳ ଏଠିକାର ଅଧିବାସୀ । ଅସ୍ତରଙ୍ଗର ୨୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ମାଛ ଧରି ଜୀବିକା ନିର୍ବାହ କରନ୍ତି । କିଛି ବର୍ଷ ହେବ ସେମାନଙ୍କ ବେଉସା ସଙ୍କଟରେ ପଡ଼ିଛି । ପୂର୍ବରୁ ଦେବୀ ନଦୀ ମୁହାଣରୁ ପ୍ରଚୁର ପରିମାଣର ଖଇଁଙ୍ଗା, ଡାହାଙ୍ଗେରା, ଚିଙ୍ଗୁଡ଼ି ଭଳି ସ୍ବାଦିଷ୍ଟ ମାଛ ଧରି ବିକ୍ରି କରୁଥିଲେ ମତ୍ସ୍ୟଜୀବୀ । ଏବେ ସେଭଳି ମାଛ ପଡୁନାହାନ୍ତି । ମାଛ ସଂଖ୍ୟା କମି ଯାଇଛି । ନଦୀ ମୁହାଣରୁ ମାଛ ଜାଆଁଳ ଚୋରି ଏହାର ପ୍ରମୁଖ କାରଣ ବୋଲି ଅଭିଯୋଗ ହୋଇଛି ।
ନିକଟରେ ବଙ୍ଗାଳୀ ସମ୍ପ୍ରଦାୟର ଲୋକମାନେ ଦେବୀନଦୀରୁ ଜାଆଁଳ ଧରୁଥିଲେ । ଜଙ୍ଗଲରେ ହାଚେରୀ କରି ସେଠାରେ ରଖୁଥିଲେ । ଏବେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଅଭିନବ ଉପାୟରେ ମଟର ଡଙ୍ଗାରେ ଜାଲ ବାନ୍ଧି ଦେବୀନଦୀରୁ ବିଭିନ୍ନ ପ୍ରକାର ମାଛ ଜାଆଁଳ ଧରୁଛନ୍ତି । ବର୍ତ୍ତମାନ ମାଛଙ୍କ ପ୍ରଜନନ ସମୟ । ତେଣୁ ମୁହାଣରେ ପ୍ରଚୁର ପରିମାଣର ମାଛ ଜାଆଁଳ ଖେଳୁଥାନ୍ତି । ସେଗୁଡିକୁ ଛାଣି ନେଉଛନ୍ତି । କେବଳ ଖଇଁଙ୍ଗା ଏବଂ ଚିଙ୍ଗୁଡ଼ି ଜାଆଁଳକୁ ବାଛି ନେଉଥିବା ବେଳେ ଅନ୍ୟ ଜାଆଁଳ ଗୁଡିକୁ ନଷ୍ଟ କରିଦେଉଛନ୍ତି । ଦେବୀ ମୁହାଣରେ ଏତେ ସବୁ କାରବାର ଚାଲିଥିବା ବେଳେ ଚିର ନିଦ୍ରାରେ ଶୋଇଛି ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗ ।
ମାଛଙ୍କ ପ୍ରଜନନ ଋତୁ ପାଇଁ ଏପ୍ରିଲ ୧୫ରୁ ଜୁନ୍ ୧୪ ପର୍ଯ୍ୟନ୍ତ ମୁହାଣରେ ମାଛ ଧରିବା ଉପରେ କଟକଣା ଜାରି କରାଯାଏ । ସେହି କଟକଣା ଲାଗିବା ପୂର୍ବରୁ ଦେବୀନଦୀରୁ ମାଛ ଜାଆଁଳ ଧରି ନେଉଛନ୍ତି ଚାଲାଣକାରୀ ।