କନକ ବ୍ୟୁରୋ: ବେଆଇନ କଫ ସିରପ୍‌କୁ ନେଇ ଆକ୍ସନ ମୋଡ୍‌ରେ ଏସ୍‌ଟିଏଫ୍‌ ଏବଂ ଡ୍ରଗ କଣ୍ଟ୍ରୋଲର୍‌ I କଟକ ପରେ ରାଜଧାନୀରୁ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ ହୋଇଛି। ମଞ୍ଚେଶ୍ୱର ଅଞ୍ଚଳରୁ ୬୦ଲକ୍ଷର ବେଆଇନ କଫ୍‌ ସିରପ୍‌ ଜବତ କରିଛି ଏସ୍‌ଟିଏଫ୍‌ ଓ ଡ୍ରଗ୍‌ କଣ୍ଟ୍ରୋଲର। ଏହି କାରବାରର କିଙ୍ଗପିନ୍‌କୁ ଉଠାଇ ଆଣି କ୍ରାଇମବ୍ରାଞ୍ଚ ଛାନଭିନ କରୁଛି । 

Advertisment

ଗଦା ହୋଇଛି ଲକ୍ଷ ଲକ୍ଷ ଟଙ୍କାର କଫ୍‌ ସିରପ୍‌ । ଯେଉଁ ସିରପ୍‌କୁ କଫ, କାଶ ଭଲ କରିବା ପାଇଁ ବ୍ୟବହାର କରାଯାଏ । ତାହାର ଆଉଗୋଟେ ଦିଗ ବିଷୟରେ ଶୁଣିଲେ ଆପଣଙ୍କ ମୁଣ୍ଡ ଘୂରେଇଦେବ । କଫ୍‌ ସିରପ୍‌ ଏବେ ନିଶା ପାଇଁ ବ୍ୟବହାର କରୁଛନ୍ତି ନିଶାଡ଼ି । ଲଗାତାର ଭାବେ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜବତ ହେବା ପରେ ଏବେ ରାଜଧାନୀରୁ ଧରାପଡ଼ିଛି କଫ୍‌ ସିରପ୍‌ କଳା କାରବାର ।  ଏହା କୌଣସି ଡିଷ୍ଟ୍ରିବ୍ୟୁଟର ବା ଷ୍ଟକିଷ୍ଟଙ୍କ ଗୋଦାମର ଦୃଶ୍ୟ ନୁହେଁ । ବରଂ ବେଆଇନ ଭାବରେ ଖୋଲା ବଜାରରେ ବିକ୍ରି ହେଉଥିବା ବିଷ ବୋତଲ। କଟକ ବାଦାମବାଡ଼ିରୁ ଭୁବନେଶ୍ୱର ମଞ୍ଚେଶ୍ୱର ପର୍ଯ୍ୟନ୍ତ ରେଡ୍‌ ବେଳେ ମିଳିଛି ୬୦ ଲକ୍ଷରୁ ଅଧିକ ମୂଲ୍ୟର କଫ ସିରପ୍‌ । 

କଫ୍‌ ସିରପ୍‌ ମାଫିଆ ଅଂଶୁମାନ ଅଭିଜିତ ସାହୁ ଥିଲା ଏହି ବିଷ କାରବାରର ମାଷ୍ଟରମାଇଣ୍ଡ । ଟ୍ରାକନ କୋରିଅର ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ଚାଲାଣ କରୁଥିଲା କଫ ସିରପ୍‌ । ବେଆଇନ ଭାବରେ ବିହାରରୁ ଆଣୁଥିଲା ଓ ଦଲାଲ ସାହାଯ୍ୟରେ ଭୁବନେଶ୍ୱରରୁ ବିକୁଥିଲା। କେବଳ ଭୁବନେଶ୍ୱର-କଟକ ନୁହେଁ, ସାରା ଓଡ଼ିଶାରେ ବିଷ ବୁଣୁଥିଲା ଅଂଶୁମାନ। ଟ୍ରକ ଟ୍ରକ ମାଲ ଓଡ଼ିଶା ପହଞ୍ଚିବା ପରେ କିଏ କେତେ କଫ ସିରପ ନେଇ ବିକୁଥିଲା ତାର ଖୋଳତାଡ଼ ଆରମ୍ଭ ହୋଇଛି । ଅଭିଯୁକ୍ତର ଘରେ ରେଡ୍‌ ବେଳେ ୨୫ ଲକ୍ଷ ୪୧ ହଜାର ନଗଦ ଟଙ୍କା ସହ ଅନେକ ଗୁଡ଼ିଏ କାଗଜପତ୍ର ମିଳିଛି । ଜଣାପଡ଼ିଛି ଦୁଇ ବର୍ଷ ଧରି ବେଆଇନ ଭାବେ ଓଡ଼ିଶାକୁ ସପ୍ଲାଏ କରୁଥିଲା ଏହି କଫ ସିରପ ।  

ବିଭିନ୍ନ କଲେଜ, ସ୍କୁଲ, ମେଡିସିନ ଷ୍ଟୋର ଓ ପାନ ଦୋକାନରେ ପେଟି ପେଟି କଫ ସିରପ ମିଳୁଥିଲା । ବିନା ପ୍ରେସକ୍ରିପସନରେ ଛାତ୍ରଛାତ୍ରୀଙ୍କ ହାତକୁ ବଢ଼ାଇ ଦିଆଯାଉଥିଲା ବିଷ ବୋତଲ । ଡ୍ରଗ୍ସ, ଗଞ୍ଜେଇ ପରେ ଏହି କଫ ସିରପର ସନ୍ଧାନ ପାଇଥିଲା କ୍ରାଇମବ୍ରାଞ୍ଚ । ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲର ମିଳିତ ଚଢ଼ାଉ ପରେ ଏହି ନିଶା ମାଫିଆକୁ ଗିରଫ କରାଯାଇଛି । କିନ୍ତୁ ଏବେ ବି କଫସିରପ ପଛର ଗଡ଼ଫାଦର ଫେରାର।