କନକ ବ୍ୟୁରୋ : ଏପରି ବି ହୋଇପାରେ ଖଣି ଚୋରି । ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଆଉ ଦେଖିଲେ ଆଖି ଝଲସି ଯିବ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଗୋପାଳପୁର ପଞ୍ଚାୟତର ତେଲେନଡିହି ସଂରକ୍ଷିତ ଜଙ୍ଗଲରେ ସଂଖ୍ୟାଧିକ ସ୍ଥାନରୁ ବେଆଇନ କୋଇଲା ଉତ୍ତୋଳନ ଚାଲିଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାଫିଆ ଶିବିରରେ ଚଢ଼ାଉ କରିଛି ଜିଲ୍ଲା ପ୍ରଶାସନ ଟିମ ।
ଏମିତି ଚୋରା ଖଣି ଖନନ ଗୋଟେ କି ଦୁଇଟି ଜାଗାରେ ନୁହେଁ । ଜଙ୍ଗଲ ଭିତରେ ଏମିତି ଶହ ଶହ ବେଆଇନ କୋଇଲା ଖଣି ଖନନ ଚାଲିଛି । ଦିନ ଦ୍ୱିପହରରେ ବେଆଇନ ଭାବେ କୋଇଲା ଖୋଳି ପଡ଼ୋଶୀ ଜିଲ୍ଲା ଓ ଛତିଶଗଡ଼କୁ ଚାଲାଣ ହେଉଛି । ସକାଳେ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ଦିନ ୧୧ଟାରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ କୋଇଲା ଖଣି ଉପରେ ଚଢ଼ାଉ କରିଛି ଜିଲ୍ଲା ପ୍ରଶାସନ । ଜଙ୍ଗଲରେ ଥିବା ମାଫିଆଙ୍କ ଶିବିରକୁ ମଧ୍ୟ ଜାଳି ଦିଆଯାଇଛି ।
ଚୋରା କୋଇଲା ଖଣି ଖନନକୁ ଦେଖିଲେ ଲାଗୁଛି ଏହା ଦିନେ କି ମାସେର ନୁହେଁ । ବର୍ଷ ବର୍ଷ ଧରି ଚାଲିଛି କଳା ହୀରାର ଲୁଟରାଜ । ବଡ଼ ବଡ଼ ମେସିନ ସାହାଯ୍ୟରେ ଖଣି ଖୋଳା ହେଉଛି । ହେମଗିରି ବ୍ଲକର ତେଲେନଡିହି ସଂରକ୍ଷିତ ଜଙ୍ଗଲର ପାଖାପାଖି ୩୦କିଲୋମିଟର ଅଞ୍ଚଳରେ ଅସଂଖ୍ୟ କୋଇଲା ଖଣିରେ ଚାଲିଛି ବେଆଇନ ଖନନ । ତା ସହିତ ଷ୍ଟକୟାର୍ଡ ଭଳି ଗଚ୍ଛିତ ରଖାଯାଇଛି ଟନ୍ ଟନ୍ କୋଇଲା । ଆଗକୁ ଯେପରି ଏହାର ପୁନରାବୃତ୍ତି ନହୁଏ ଏଥିପ୍ରତି ଦୃଷ୍ଟି ଦିଆଯିବ ଓ ଖଣିଜ ପଦାର୍ଥର ଲୁଟ ରୋକିବାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।
ବସୁନ୍ଧରା, ଏମସିଏଲ କୋଇଲା ଖଣି ଭଳି ତେଲେନଡିହି ଜଙ୍ଗଲରେ ସମାନ୍ତରଳ ଭାବେ ଚୋରା କୋଇଲା ଖଣି ଖନନ ଚଲାଇଥିଲେ ମାଫିଆ । ଦିନରେ ଖୋଳି ରାତିରେ ଟ୍ରକ, ହାଇୱା, ଟ୍ରାକ୍ଟରରେ କୋଇଲା ଭଳି ରାଷ୍ଟ୍ରୀୟ ସଂପତ୍ତିକୁ ଲୁଟ କରୁଥିଲେ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପ୍ରଶାନର ଆଖି ଖୋଲିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/04/KJNI7OnypBzvfUutQ8M7.jpg)