କନକ ବ୍ୟୁରୋ: ବାଲେଶ୍ବରରେ ଚାଲିଛି ଶତାଧିକ ବେଆଇନ ଇଟା ଭାଟି। ସରକାରୀ ନିୟମକୁ ଉଲଙ୍ଘନ କରି ଏହି ସବୁ ଇଟାଭାଟି ମାଲିକ ଇଟା ଭାଟି ଚଳାଇ ଆସୁଛନ୍ତି। ପ୍ରଶାସନ ତରଫରୁ ମଧ୍ୟ ଏଥିପ୍ରତି  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକ। ଇଟାଭାଟିରୁ ବାହାରୁଥିବା ବିଷାକ୍ତ ଧୂଆଁ ଓ ପାଉଁଶ ପରିବେଶକୁ ପ୍ରଦୂଷିତ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। 

Advertisment

ତେବେ ବାଲେଶ୍ୱର ବସ୍ତା ଓ ବାଲିଆପାଳରେ ଗଢି ଉଠିଛି ମାଳମାଳ ବେଆଇନ ଇଟାଭାଟି। ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ରଘୁନାଥପୁର, କରୁଆ, ସିଂଲା, ପାଉଁଶକୁଲି, ତାଡ଼, ରେମୁ, ବାଲିଆପାଳ, ଅସ୍ତି ପଞ୍ଚାୟତରେ ଶହଶହ ଇଟାଭାଟି ରହିଛି। ନଦୀ ପଠାରୁ ଉର୍ବର ପଟୁ ମାଟିକୁ ଖୋଳି ଇଟା ତିଆରି କରି ବିକ୍ରି କରୁଛନ୍ତି ମାଫିଆ। ଇଟା ଭାଟିରୁ ବାହାରୁ ଥିବା ଧୂଆଁ ଓ ପାଉଁଶ ଯୋଗୁଁ ପ୍ରଦୂଷିତ ହେଉଛି ବାୟୁ ମଣ୍ଡଳ। ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି। 

ଇଟା ପୋଡ଼ିବା ସମୟରେ ଭାଟିରୁ ବାହାରୁଥିବା ଧୂଆଁ ପରିବେଶ ପ୍ରଦୂଷଣ ବୃଦ୍ଧି କରୁଥିବାରୁ ଭାଟି ବନ୍ଦ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଇଟାଭାଟି ମାଲିକମାନେ ନିୟମକୁ ବେଖାତିର କରି ନିର୍ଭୟରେ ଭାଟି ଚଳାଇ ଆସୁଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ବେଆଇନ ଇଟା ଭାଟି ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲାପାଳ।

ପୂର୍ବାଞ୍ଚଳ ସବୁଜ ପ୍ରାଧୀକରଣର ନିୟମ ଅନୁଯାୟୀ, ବିନା ପଞ୍ଜୀକରଣରେ ଖୋଲିଥିବା ନାଲି ଇଟା ଭାଟି ଠାରୁ ଜରିମାନା ଆଦାୟ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦେଶ ରହିଛି। କିନ୍ତୁ କିଛି ଦୁର୍ନୀତିଗ୍ରସ୍ତ ଅସାଧୁ ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କାର୍ଯ୍ୟକାରୀ ହୋଇପାରୁନାହିଁ।