କନକ ବ୍ୟୁରୋ : ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ । ତଟବର୍ତ୍ତୀ ଜିଲ୍ଲାରେ ଛତୁ ଫୁଟିଲା ପରି ଖୁନ୍ଦି ହୋଇଗଲେଣି ବାଂଲାଦେଶୀ । ଜିଲ୍ଲା କଥା ଛାଡ଼ନ୍ତୁ, ଜାଲ୍ କାଗଜ ଧରି ରାଜଧାନୀର ଛାତି ଉପରେ ବି ବାଂଲାଦେଶୀ ରାଜ୍ କଲେଣି । କେତେବେଳେ ମାନବ ଚାଲାଣ ମାମଲାରେ ମାଳମାଳ ଯୁବତୀ ବନ୍ଧା ହେଉଛନ୍ତି ତ, ପୁଣି କେତେବେଳେ ଦେଶର ସୁରକ୍ଷା ଚିନ୍ତା ।
ରାଜ୍ୟ ଓ ଦେଶର ସୁରକ୍ଷାକୁ ନଜରରେ ରଖି ନୋଡାଲ୍ ଏଜେନ୍ସି ଭାବେ ଦାୟିତ୍ୱ ନେଇଛି ସ୍ପେଶାଲ୍ ଟାସ୍କ ଫୋର୍ସ । ଅବାଧରେ ପ୍ରବେଶ, ବିନା ଭିସାରେ ରହଣି ଓ ଜାଲ୍ ପ୍ରମାଣପତ୍ର ପ୍ରସ୍ତୁତ କରି ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତଥିବା ବାଂଲାଦେଶୀଙ୍କ ଉପରେ ଏବେ କଡ଼ା ନଜର । ସେଥିପାଇଁ ସମସ୍ତ ଜିଲ୍ଲା ପୁଲିସର ସହ ଯୋଗାଯୋଗରେ ରହି ବେଆଇନ୍ ବାଂଲାଦେଶୀଙ୍କ ତାଲିକା ପ୍ରସ୍ତୁତି ଚାଲିଛି । ଏପରିକି ବାଂଲାଦେଶୀଙ୍କୁ ରାଜ୍ୟରୁ ତଡ଼ିବାକୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ସମାନ କଥା ଦୋହରାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜିଲ୍ଲା ପୁଲିସଠାରୁ ତଟ ସୁରକ୍ଷା ବାହିନୀ ଯାଏଁ ସଜାଗ ଅଛନ୍ତି । କୌଣସି ଅଣ ନାଗରିକ ଆଉ ବେଆଇନ୍ ଭାବେ ଓଡ଼ିଶାରେ ରହିପାରିବେ ନାହିଁ । ବାଂଲାଦେଶୀ ହଟାଇବା ପ୍ରକ୍ରିୟାକୁ ଜୋରଦାର କରାଯାଉଥିବା ସେ କହିଛନ୍ତି ।
ଗତ ମାର୍ଚ୍ଚ ମାସରେ ୧୦ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ ହୋଇଥିଲେ । ଏବେ ବି ମାଳମାଳ ବାଂଲାଦେଶୀ ସୀମା ଡେଇଁ ଓଡ଼ିଶାରେ ପଶୁଛନ୍ତି । ସେମାନଙ୍କ ଲାଗି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ଦିନକୁ ଦିନ ପୁଲିସର ମୁଣ୍ଡବିନ୍ଧା ବଢୁଛି ।